oom

ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ : ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ଚେତାବନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ । ସମସ୍ତ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦିଆଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁତଲା ବ୍ଲକ୍‌ର ଦାବ୍‌ଜୁରୀ, ଭଣ୍ଡାରବାଂଜି, ଭିର୍କାପଡ଼ା ଗାଁଗୁଡ଼ିକର ଶତାଧିକ ଜନସାଧାରଣ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉପରୋକ୍ତ ଗ୍ରାମବାସୀ ଗତ ୨୩ ତାରିଖ ଦିନ ବଲାଙ୍ଗିର ଉପଜିଲାପାଳ, ବଲାଙ୍ଗିର ଆରକ୍ଷୀ ଅଧ୍ୟକ୍ଷ, ସଇଁତଲା ତହସିଲ୍‌ଦାର ଏବଂ ସଇଁତଲା ଥାନା ଅଧିକାରୀଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ରାଲି ମାଧ୍ୟମରେ ଆସି ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ ଲିଖିତ ଭାବେ ଜଣାଇଥିବା ବେଳେ ତାହା ୮ ତାରିଖ ଦିନ ଧାର୍ଯ୍ୟ ହୋଇଥିଲା । ସେମାନେ କହିଛନ୍ତି ଯେ, ଭାରତ ସ୍ୱାଧୀନ ହେବାର ଦୀର୍ଘ ୭୭ ବର୍ଷ ପୂରଣ ହୋଇ ସାରିଥିଲେ ସୁଦ୍ଧା ସେମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଉଚ୍ଚ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ୧୮ରୁ ୨୦ କିଲୋମିଟର ଯିବାକୁ ପଡ଼ୁଛି । ପାନୀୟ ଜଳର ସୁବିଧା ନାହିଁ । ବିକଳାଙ୍ଗ ଭତ୍ତା ପାଇଁ ୨୦ କିଲୋମିଟର ଯିବାକୁ ପଡ଼ୁଛି । ରାସନ୍‌ ଆଣିବାକୁ ମଧ୍ୟ ୨୦ କିଲୋମିଟର ବାଟ ଯିବାକୁ ପଡ଼ୁଛି । ସାଧା ଜରଟିଏ ହେଲେ ମଧ୍ୟ ୩୦ କିଲୋଟିର ଯାଇ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ୁଛି । ଏଣୁ ଏସବୁ ସମସ୍ୟାର ତୁରନ୍ତ ସମାଧାନ କରାଯାଇ ଦାବ୍‌ଜୁରୀ ଗାଁକୁ ନୂତନ ପଞ୍ଚାୟତର ମାନ୍ୟତା ଦେବାକୁ ଉପରୋକ୍ତ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଯଦି ସେମାନଙ୍କ ଦାବୀ ପୂରଣ କରାନଯାଏ ତେବେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେମାନେ ଭାଗ ନେବେ ନାହିଁ ଏବଂ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି । ତେବେ ଅଭିଯୋଗ ଆଣିଥିବା ଗ୍ରାମବାସୀଙ୍କ ଅଂଚଳରେ ୩୫ ଶହରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୧୧୫୦ ଜଣ ଭୋଟର୍‌ ରହିଥିବା ସେମାନେ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.