jayashree

ରାଉରକେଲା ବିକାଶ ମଞ୍ଚର କ୍ଷୋଭ ଓ ଚେତାବନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ହକି ବିଶ୍ୱକପ-୨୦୨୩ର ଆୟୋଜନ କରିବା ଦ୍ୱାରା ରାଉରକେଲା ସମଗ୍ର ବିଶ୍ୱରେ ପରିଚୟ ହାସଲ କରି ପାରିଛି, ତଥା ୧୯୬୦ ମସିହାରୁ ଚାଲୁଥିବା ରାଉରକେଲା ଏଆରଷ୍ଟ୍ରିପରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାରୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଥିଲେ । ପ୍ରତିଦିନ ପ୍ରାୟ ନବେ ପ୍ରତିଶତ ସିଟ ପୂର୍ଣ୍ଣ ହୋଇଯାଉଛି । କିନ୍ତୁ ଦୁଃଖର କଥା ଯେ ବିଗତ ତିନି ଚାରି ଦିନ ଧରି ଖରାପ ପାଗର ଦ୍ୱାହି ଦେଇ କୌଣସି ଉଡ଼ାଜାହାଜ ରାଉରକେଲାକୁ ଯିବା ଆସିବା କରୁନାହିଁ । ଯାହାଫଳରେ ଟିକେଟ କରିଥିବା ଆଗ୍ରହୀ ଯାତ୍ରୀମାନେ ଯାତ୍ରା କରି ନ ପାରି ବହୁତ ହନ୍ତସନ୍ତ ହୋଇଛନ୍ତି ବୋଲି ରାଉରକେଲା ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି । ବିମାନ ଚଳାଚଳ ପାଇଁ ପାଗଯନ୍ତ୍ର ନିହାତି ଆବଶ୍ୟକ ଥିବା ବେଳେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହାର ସ୍ଥାପନା ନ କରି ବିମାନ ଚଳାଚଳ ଆରମ୍ଭ କରିବା ଏବଂ ସେଥିପାଇଁ ଯାତ୍ରୀମାନେ ହନ୍ତସନ୍ତ ହେବା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ସହ ଏକ ଚଞ୍ଚକତା ବ୍ୟତୀତ ଆଉ କିଛି ନୁହେଁ ବୋଲି ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ମତପ୍ରକାଶ ପାଇଛି । କିଛି ଭବିଷ୍ୟତ ଦୂରଭିସନ୍ଧି ନ ରଖି ସମ୍ପୃକ୍ତ କର୍ତ୍ତୃପକ୍ଷ ଏହାର ନିରାକରଣ ଶୀଘ୍ର କରିବାକୁ ଦୃଢ ଦାବୀ ହେଉଛି । ସେହିଭଳି ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଂଚଳରୁ ଚକ୍ରଧରପୁର ରେଳ ଡିଭିଜନରେ ଶତକଡା ୮୦ ଭାଗ ଅର୍ଥ ଆଦାୟ ହେଉଥିବା, ବନ୍ଧମୁଣ୍ଡାଠାରେ ୫ ହାଜର ଏକର ଜାଗା, ପର୍ଯ୍ୟାପ୍ତ କ୍ଵାଟର, ଅନୁସାଙ୍ଗିକ ସୁବିଧା ଥାଇ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ରାଉରକେଲାଠାରେ ଏକ ନୂଆ ରେଳ ଡିଭିଜନ ପାଇଁ ବହୁତ ଦିନରୁ ଦାବୀ ଓ ଆନ୍ଦୋଳନ ହେଉଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିବା ସହ ଏ ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହାତକୁ ନେଇ ନାହିଁ ବୋଲି ମତପ୍ରକାଶ ପାଇଛି । ସୁନ୍ଦରଗଡ଼ ଜିଲ୍ଲା ଖଣି ଖାଦାନରେ ପରିପୂର୍ଣ୍ଣ ଥିବାରୁ ହଜାର ହଜାର ଶ୍ରମିକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି କାମ କରୁଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ପର୍ଯ୍ୟାପ୍ତ ଇଏସଆଇ ହସ୍ପିଟାଲ ନାହିଁ । ଯାହା ଅଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି । ବିଗତ ୧୫ ବର୍ଷ ଧରି ବିଭିନ୍ନ ଶ୍ରମିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ ସହ ରାଉରକେଲା ବିକାଶ ମଞ୍ଚ ରାଉରକେଲାଠାରେ ଏକ ଇଏସଆଇ ମେଡିକାଲ କଲେଜ ପାଇଁ ଆନ୍ଦୋଳନ ମାଧ୍ୟମରେ ଦାବୀ କରି ଆସୁଛି । ସୁଖର କଥାଯେ ରାଜ୍ୟ ଇଏସଆଇ ବୋର୍ଡ ରାଉରକେଲାଠାରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ରୀୟ ଇଏସଆଇ ବୋର୍ଡ଼କୁ ସୁପାରିଶ କରିଛି । କେନ୍ଦ୍ରୀୟ ନେତୃବୃନ୍ଦ ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯିବ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ସ୍ୱାର୍ଥ ପ୍ରତି ସମ୍ପୃକ୍ତ କର୍ତ୍ତୃପକ୍ଷ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦୃଢ ଦାବୀ କରାଯାଇଛି । ନଚେତ ଆଗାମୀ ଦିନରେ ଦୁର୍ବାର ଜନ ଆନ୍ଦୋଳନ କରାଯିବ ବୋଲି ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତ, ଉପଦେଷ୍ଟା ଇଂ ଅଭୟ ଦାସ, ସଂଜୀବ ମହାନ୍ତି, ଆର୍ତ୍ତ ମହାରଣା, ଅମୂଲ୍ୟ ବରାଳ, ପଶୁପତି ଚାଟାର୍ଜୀ, ଇଂ ଅମୂଲ୍ୟ ସାମଲ, ସଂଗ୍ରାମ ମହାନ୍ତି ଓ ଅନ୍ୟମାନେ ଦୃଢ ଦାବୀ କରିଛନ୍ତି ବୋଲି ବିକାଶ ମଞ୍ଚର ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.