ପଦ୍ମପୁର ଉପଖଣ୍ଡ ମଣ୍ଡିରେ ପଡିଛି ୬ ଲକ୍ଷ ୫୩ କ୍ୱିଣ୍ଟାଲ ଧାନ, ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ରାଜବୋଡାସମ୍ବର କୃଷକ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ମୋଟ ୧ ଲକ୍ଷ ୩୯ ହଜାର ୫ ଶହ ୫୮ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ । ୧ ଲକ୍ଷ ୨୭ ହଜାର ଚାଷୀ ୬୭ ଲକ୍ଷ ୩୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ପ୍ରତି ଚାଷୀ ପିଛା ହାରାହାରି ୫୩ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ଏବେସୁଦ୍ଧା ୬ ଲକ୍ଷ ୫୦ କ୍ୱିଣ୍ଟାଲ ଧାନ ମୋଟ ୧୧ ଲକ୍ଷ ପକେଟ ଧାନ ମଣ୍ଡିମାନଙ୍କରେ ପଡ଼ିରହିଛି । ସୂଚନା ଅନୁସାରେ, ଅତାବିରା ନିୟନ୍ତ୍ରିତ ବଜାର ଅଧୀନରେରେ ୯୦%, ବରଗଡ଼ ନିୟନ୍ତ୍ରିତ ବଜାର ଅଧୀନରେ ୮୫%, କିନ୍ତୁ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ କେବଳ ୬୫% ଚାଷୀଙ୍କ ଧାନ ବିକ୍ରି ହୋଇଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଜଗଦଳପୁର ମଣ୍ଡିରେ ୧୩୩ ଜଣ ଚାଷୀଙ୍କ ୧୨ ହଜାର ୩ ଶହ ୯୪ ପକେଟ, ସରେଇକେଲା ମଣ୍ଡିରେ ୭୦ ଜଣ ଚାଷୀଙ୍କ ୭ ହଜାର ୧ ଶହ ୧ ପକେଟ, ଲଖମରା ମଣ୍ଡିରେ ୧୬୬ ଜଣ ଚାଷୀଙ୍କ ୨୧ ହଜାର ୪ ଶହ ୨ ପକେଟ, କନସିଂହା ମଣ୍ଡିରେ ୧୪୧ ଜଣ ଚାଷୀଙ୍କ ୧୯ ହଜାର ୬ ଶହ ୩୭ ପକେଟ, ଲଉଡ଼ିଦର୍ହ ମଣ୍ଡିରେ ୪୨୭ ଜଣ ଚାଷୀଙ୍କ ୪୬ ହଜାର ୯ ଶହ ୮୧ ପକେଟ, ବରିକେଳ ମଣ୍ଡିରେ ୨୨ ହଜାର ପକେଟ ଓ ବୁକୁରାମୁଣ୍ଡା ମଣ୍ଡିରେ ୪୪ ହଜାର ପକେଟ ଏହିପରି ମୋଟ ୯ ଲକ୍ଷ ପକେଟ ଧାନ ବିକ୍ରି ପାଇଁ ପଡ଼ିରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ମଣ୍ଡି ପାଇଁ ତିନୋଟି ପର୍ଯ୍ୟାୟରେ ୫୫ ଲକ୍ଷ, ୬ ଲକ୍ଷ ଓ ୭ ଲକ୍ଷ କ୍ୱିଣ୍ଟାଲ ମୋଟ ୬୮ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ମିଳିଥିଲା । ଏହା ଫଳରେ ଚାଷୀଙ୍କ ଠାରୁ ୬୭ ଲକ୍ଷ ୩୩ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ହୋଇସାରିଲାଣି । ମିଳିଥିବା ବଳକା ଟାର୍ଗେଟରୁ ଯେତେ ପରିମାଣର ଧାନ ବିକ୍ରି ହେବ ତନ୍ମଧ୍ୟରୁ ଆହୁରି ପାଖାପାଖି ୬ ଲକ୍ଷ କ୍ୱିଣ୍ଟାଲ ଧାନ ବାକି ରହିଯିବ । ପୂର୍ବରୁ ରାଜବୋଡାସମ୍ବର କୃଷକ ସଂଗଠନ ଧାନ ବିକ୍ରି ସମସ୍ୟା ପାଇଁ ରାସ୍ତାରୋକ କରିବାକୁ ଉପଜିଲ୍ଲାପାଳ ପଦ୍ମପୁର ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକଙ୍କୁ ଲିଖିତ ଭାବେ ଜଣାଇଥିଲେ । ଆଜି ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବରିକେଲ ମଣ୍ଡିରେ ରାଜବୋଡାସମ୍ବର କୃଷକ ସଂଗଠନର ସଦସ୍ୟ ଓ ଅସନ୍ତୁଷ୍ଟ ଚାଷୀମାନଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ରମେଶ ମହାପାତ୍ର, ରୋହିତ ପ୍ରଧାନ, ପଞ୍ଚାନନ ସାହୁଙ୍କ ସହ ଉପଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲା । ୨୪ ତାରିଖ ପୂର୍ବରୁ ଆହୁରି ୬ ଲକ୍ଷ କ୍ୱିଣ୍ଟାଲର ଟାର୍ଗେଟ ପ୍ରଦାନ କରାଯିବା ସହ ତୁରନ୍ତ ଚାଷୀଙ୍କ ଧାନ କିଣିବାକୁ ରାଜବୋଡାସମ୍ବର କୃଷକ ସଂଗଠନର ତରଫରୁ ଦୃଢ଼ ଦାବୀ କରାଯାଇଥିଲା । ନଚେତ ସମସ୍ତ ରାଜରାସ୍ତା, ସରକାରୀ କାର୍ଯ୍ୟାଳୟମାନଙ୍କରେ ଧାନ ପକାଇ ଦୁର୍ବାର ଆନ୍ଦୋଳନ କରିବାକୁ ପ୍ରଶାସନକୁ ରାଜବୋଡାସମ୍ବର କୃଷକ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି । ଆଲୋଚନା ସମୟରେ ଚାଷୀ ସୁବାସ ସାହୁ, ରମେଶ ମେହେର, ଚିତ୍ତରଞ୍ଜନ ସାହୁ, ହରେକୃଷ୍ଣ ପାତ୍ର, ଗୋଲକ ମେହେର, କ୍ଷେତ୍ରପାଳ ସାହୁ, ମୁରଲୀ ବନଛୋର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.