
ଭୁବନେଶ୍ୱର : ୧୨ବର୍ଷର ଛାତ୍ର ଉପରେ ଚଢ଼ିଗଲା ମାଲ୍ ବୋଝେଇ ଟ୍ରକ୍ । ଛାତ୍ର ଜଣକ ଗୋପ ବସ୍ତି ଅଞ୍ଚଳର ମହମଦ ଜୁନେଦ (ନବମ ଶ୍ରେଣୀର ଛାତ୍ର) ବୋଲି ଜଣାପଡ଼ିଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଉତ୍ୟକ୍ତ ଲୋକେ ଗୋପ ଚାରିଛକଠାରେ ରାସ୍ତାରୋକ କରିଛନ୍ତି । ସୂଚନା ମୁତାବକ, ଗୋପ ବସ୍ତି ଅଞ୍ଚଳର ମହମଦ ଜୁନେଦ ବଜାରକୁ ଯାଉଥିଲେ । ଏହି ସମୟରେ ହଠାତ ଏକ ମାଲ୍ ବୋଝେଇ ଟ୍ରକ୍ ଆସି ତାଙ୍କ ଉପରେ ଚଢିଯାଇଥିଲା । ଟ୍ରକ୍ଟି ତାଙ୍କ ଗୋଡ଼ ଉପରେ ଚଢିଯାଇଥିବାରୁ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଗୋପ ଚାରିଛକ ରାସ୍ତାରୋକ କରିଥିଲେ । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।