ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ତର୍ଜାତୀୟ ସମାଜସେବୀ ସଂଗଠନ ଲାୟନ୍ସ କ୍ଲବ, ପଦ୍ମପୁରରେ ନୂତନ କର୍ମକର୍ତ୍ତା ଚୟନ ଅବସରରେ ଆୟୋଜିତ ସାଧାରଣ ସଭା ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଥିଲା । ସଭାପତି ଲାୟନ୍ସ ପ୍ରୀତମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କ୍ଲବର ଭବିଷ୍ୟତ ଯୋଜନା ଓ ସମାଜସେବା ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା । ସଭାରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ଚୟନ କରାଯାଇଥିଲା । ଲାୟନ୍ସ ସୌମ୍ୟଜିତ ପାଢ଼ୀଙ୍କୁ ସଭାପତି, ଲାୟନ୍ସ ଶାଶ୍ୱତ ଦାଶଙ୍କୁ ସମ୍ପାଦକ ଏବଂ ଲାୟନ୍ସ ରାଜେନ୍ଦ୍ର ମେହେରଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିବା ଘୋଷଣା ହୋଇଥିଲା । ନୂତନ ଦଳ କ୍ଲବର ସମସ୍ତ କାର୍ଯ୍ୟକ୍ରମକୁ ଆହୁରି ସକ୍ରିୟ ଭାବେ ଆଗେଇ ନେବା ପାଇଁ ସଙ୍କଳ୍ପବଦ୍ଧ ହେବାକୁ କହିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ପିଡିଜି ଲାୟନ୍ ବେଣୁ ମାଧବ ଦୋରା ସୁଚାରୁ ଭାବରେ ପରିଚାଳନା କରିଥିଲେ । ସେ ନିର୍ବାଚନକୁ ସ୍ୱଚ୍ଛ ଓ ସୁସଂଗଠିତ ଭାବରେ ସମ୍ପନ୍ନ କରିବାରେ ସଭାରେ ଉପସ୍ଥିତ ସଦସ୍ୟମାନେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଅବସରରେ ଭିଡିଜି-୨(ନିର୍ବାଚିତ) ଲାୟନ୍ସ ମେଜର ଚିତ୍ତ ରଞ୍ଜନ ଦାଶ ନୂତନ କର୍ମକର୍ତ୍ତା ମାନଙ୍କୁ ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଲାୟନ୍ସ କ୍ଲବ ଏକ ସେବାମୂଳକ ସଂଗଠନ ହେବାରୁ ସମାଜର ଦୁର୍ବଳ ବର୍ଗଙ୍କ ସହାୟତା, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ସୁରକ୍ଷା ମାଧ୍ୟମରେ ଉନ୍ନତି କାର୍ଯ୍ୟକ୍ରମ ଚାଲୁ ରଖିବା ଦରକାର । ନୂତନ ପଦାଧିକାରୀମାନେ ଏହି ସମସ୍ତ କ୍ଷେତ୍ରରେ ଅଧିକ ସକ୍ରିୟ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ନୂତନ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇ ସମସ୍ତଙ୍କ ଏକତା ଓ ସହଯୋଗ ମାଧ୍ୟମରେ କ୍ଲବର କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବାକୁ ଆହ୍ୱାନ ଜଣାଇଥିଲେ । ସଭାର ଶେଷରେ କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଧନ୍ୟବାଦ ଜଣାଇଥିଲେ । ସେ ସମସ୍ତ ସଦସ୍ୟଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରି ଆଗାମୀ ଦିନରେ କ୍ଲବ ଆହୁରି ସଫଳତା ଅଧିଗମନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।
Next Post