ଗରିବଙ୍କ ଟଙ୍କିଆ ପିଡିଏସ୍‌ ଚାଉଳ ୧୮ ଟଙ୍କାରେ ବିକ୍ରି ଘଟଣା : ଡ୍ରାଇଭର ଓ ସମ୍ପୃକ୍ତ ବ୍ୟବସାୟୀ ଥାନାରେ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ୬ ନଂ ଓ ୮ ନଂ ୱାର୍ଡର ସଅଁରାପଡାରେ ଜଣେ ବେପାରୀ ଗରିବ ହିତାଧିକାରୀଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ ଚାଉଳ କିଣୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ପୁଲିସ ଚଢାଉ କରିଥିଲା । ଏହି ଘଟଣାରେ ପୁଲିସ ଚାଉଳ ବୋଝେଇ ପିକଅପ ଗାଡ଼ି ନଂ ଓଡି ୦୩ ଟି ୫୬୨୩କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିଲା । ପୁଲିସ ଚଢାଉ କରିବା ପୂର୍ବରୁ ବେପାରୀ ଜଣକ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲେ । ଆଜି ସକାଳୁ ପୁଲିସ ଉକ୍ତ ବେପାରୀ ଦୁନ୍ଦେଲଗ୍ରାମର ମାଧବ ମେହେରଙ୍କୁ ଆଣି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସଆଇ ବ୍ରଜକିଶୋର ପଣ୍ଡାଙ୍କଠାରୁ ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସାଢେ ୪ଟାରେ ପାଟଣାଗଡ଼ ଥାନା ଦୁନ୍ଦେଲ ଗାଁର ପିଡିଏସ୍‌ ଚାଉଳ ଚୋରାଚାଲାଣ କରୁଥିବା ସକ୍ରିୟ ବେପାରୀ ମାଧବ ମେହେର ସଅଁରାପଡାରେ ପିଡିଏସ୍‌ ଚାଉଳ ବୋଝେଇ ଗାଡି ନେଇ ପହଞ୍ଚିଥିଲେ । ସେହିଠାରେ ଥିବା କିଛି ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଲୋଭନ ଦେଖାଇ ୧ ଟଙ୍କିଆ ପିଡିଏସ୍‌ ଚାଉଳକୁ ୧୮ ଟଙ୍କାରେ ବିକ୍ରି କରିବା ପାଇଁ କହିଥିଲେ । କିଛି ଗରିବ ହିତାଧିକାରୀ ପ୍ରଲୋଭନରେ ପଡି କିଏ ୫ କେଜି ତ କିଏ ୧୦ କେଜି ଲେଖାଏଁ ପିଡିଏସ୍‌ ଚାଉଳ ବିକ୍ରି କରୁଥିଲେ । ଯାହାକୁ ଦେଖି ଜଣେ ସମାଜିକ କର୍ମୀ ସନ୍ଦେହ କରି ପୁଲିସକୁ ଅବଗତ କରାଇଥିଲେ । ପୁଲିସ ଖବର ପାଇ ଉକ୍ତ ଘଟଣାସ୍ଥଳରେ ପହଞ୍ଚି ପିଡିଏସ୍‌ ଚାଉଳ ବୋଝେଇ ଥିବା ଦେଖିବାକୁ ପାଇ ଚାଉଳ ବୋଝେଇ ପିକଅପକୁ ଜବତ କରିବା ସହ ଡ୍ରାଇଭର ତୁଲା ଚକ୍ରବର୍ତ୍ତୀ କାଣ୍ଡଙ୍କୁ ଥାନାକୁ ଆଣିଥିଲା । ଘଟଣାସ୍ଥଳରୁ କୌଶଳ କ୍ରମେ ବେପାରୀ ମାଧବ ମେହେର ଫେରାର ହୋଇଯାଇଥିଲା । ଏହାପରେ ପୁଲିସ ଆଜି ସକାଳେ ମାଧବଙ୍କୁ ଯୋଗାଯୋଗ କରି ଚତୁରତା ସହ ଥାନାକୁ ଡାକିଥିଲା । ମାଧବ ଥାନାରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖି ଯୋଗାଣ ବିଭାଗର ସପ୍ଲାଏ ଇନସପେକ୍ଟର ରାଜାରାମ ହୋତାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ଥାନାକୁ ଡାକିଥିଲେ । ଶ୍ରୀ ହୋତା ଥାନାରେ ପହଞ୍ଚିବା ପରେ ପିକ୍‌ଅପ୍‌ ଗାଡିରେ ୧୭ ପେକେଟ ଚାଉଳ ଥିବା ଦେଖିବାକୁ ପାଇଥିଲେ । ସେଥିମଧ୍ୟରୁ ୧୦ଟି ଅଖା ବସ୍ତାରେ ବ୍ଲୁଷ୍ଟୋନ ଫିଲ ମାର୍କ ସହ ଓଏଫ୍‌ଏଫ୍‌ସି ଏଲ୍‌ଟିଡି ଲେଖାଥିବା ବସ୍ତା ପିଡିଏସ୍‌ ଚାଉଳ ଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରି ସେ ଥାନା ଅଧିକାରୀ ଅନନ୍ତ ପଧାନକୁ ଦେଇଥିଲେ । ଶ୍ରୀ ହୋତାଙ୍କ ଠାରୁ ରିପୋର୍ଟ ପାଇବା ପରେ ପୁଲିସ ଏହି ଘଟଣାରେ ସଂମୁକ୍ତ ଥିବା ପିଡିଏସ୍‌ ଚାଉଳ ଚୋରାଚାଳାଣ କରୁଥିବା ବେପାରୀ ଓ ଡ୍ରାଇଭର ନାମରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ପଧାନ ଓ ଏସ୍‌ଆଇ ଶ୍ରୀ ପଣ୍ଡାଙ୍କଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.