ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି ଠାରେ ଧାନକିଣା ଟାର୍ଗେଟକୁ ନେଇ ଚାଷୀ ଅସନ୍ତୋଷ ହୋଇ ରାଜରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ସରକାର ଲ୍ୟାମ୍ପ ମଧ୍ୟରେ ଦିନକୁ ୩ହଜାର କୁଇଣ୍ଟାଲ ଧାନ କିଣିବାକୁ କହିଥିଲେ, ହେଲେ ତାହା ବର୍ତ୍ତମାନ ଦିନକୁ ୧୫ଶହ କୁଇଣ୍ଟାଲ ଧାନ କିଣିବା ପାଇଁ କହିବାରୁ ସମୟ ସୀମା ମଧ୍ୟରେ ସବୁ ଧାନ କିଣା ଯାଇପାରିବ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । କଲ୍ୟାଣସିଂହପୁର ଠାରୁ ରାୟଗଡା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଏସ୍ଆଇ ଶିବ ପ୍ରସାଦ ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱ ନେଇ ତହସିଲଦାର ରଞ୍ଜନ କୁମାର ମାନସେଠ ଓ ପୂର୍ବତନ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଚାଷୀଙ୍କୁ ବୁଝାସୁଝା କରି ରାଜପଥରୁ ହଟିବା ପାଇଁ କହିଥିଲେ । ପରେ ଚାଷୀଙ୍କ ଯେତିକି ଧାନ ବିକ୍ରି ହୋଇପାରିବ ସେହି ଅନୁସାରେ ସରକାରଙ୍କୁ ଚିଠି କରାଯାଇଛି । କାହାର ଟୋକନରେ ଯେତିକି ପରିମାଣର ଧାନ ବିକ୍ରି କରିବା ପାଇଁ ଆସିଛି ସବୁ ଲ୍ୟାମ୍ପ ଦ୍ୱାରା ନିୟନ୍ତ୍ରିତ ବଜାର କମିଟି ନେବେ । ୧୭ ତାରିଖ ସୁଦ୍ଧା ପ୍ରାୟ ୪ହଜାର କୁଇଣ୍ଟାଲ ଧାନ କିଣିବାର ଅଛି ବୋଲି ତହସିଲଦାର ଶ୍ରୀ ମାନସେଠ ଚାଷୀଙ୍କ ବୁଝାଇଥିଲେ ପ୍ରାୟ ୨ ଘଣ୍ଟା ଧରି ଚାଷୀ ରାସ୍ତା ଅବରୋଧ କରିବା ପରେ ରାସ୍ତାରୁ ହଟିଥିଲେ ।
Next Post