ଚର୍ଚ୍ଚାରେ ଟିଟିଲାଗଡ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡିଶାର ଏକ ବୃହତ୍ତମ ଉପଖଣ୍ଡ ଭାବରେ ଟିଟିଲାଗଡ ଉପଖଣ୍ଡ ବେଶ୍‌ ପରିଚିତ । ଏକ ଆଦିବାସୀ ବହୁଳ ପଛୁଆ ଅଂଚଳ ଭାବରେ ଏହି ଟିଟିଲାଗଡ ଅଂଚଳ ରାଜ୍ୟରେ ନାଁ କରିଛି । କେତେବେଳେ ପିଲା ବିକ୍ରୀ ଘଟଣା ତ ପୁଣି କେତେବେଳେ ଅର୍ଦ୍ଧାହାରର ଶିକାର ଏଠାକାର ଗରିବ ନିରୀହ ଜନସାଧାରଣ । ଆଉ କେତେବେଳେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଘଟଣା ଏଠାକାର ନିତିଦିନିଆ ଘଟଣା ଭାବରେ ରହିଆସିଛି । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ଟିଟିଲାଗଡରେ ଯୋଗ ଦିଅନ୍ତି ଉପଜିଲ୍ଲପାଳ ଭାବରେ ସୋମେଶ ଉପାଧ୍ୟାୟ । ଜଣେ ଯୁବ ଆଇ.ଏ.ଏସ ଅଫିସର ଭାବରେ ପ୍ରଥମ କରି ଟିଟିଲାଗଡ ସହରରେ ଯୋଗ ଦେବା ପରେ ଲୋକେ ବେଶ୍‌ ଉତ୍ସାହିତ ହୋଇପଡିଥିଲେ । ଆଶା କରିଥିଲେ ସାଧାରଣ ଲୋକଙ୍କ ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେବେ । କି‌ନ୍ତୁ ଲୋକ‌ଙ୍କ ଆଶା ଫୁସ୍‌କି ଗଲା । ସାଧାରଣ‌ଙ୍କ ମଧ୍ୟରେ ଆଲୋଚନା ହେଉଛି, ହେଲେ ମହାମାରୀ କରୋନାର ମାଡରେ ଯୁବ ଆଇ.ଏ.ଏସ ପ୍ରଥମେ ଲୋକଙ୍କୁ ସଚେତନ କରିବା ବଦଳରେ ବିଭିନ୍ନ ସମୟରେ କରୋନା କଟକଣା ନିୟମର ଉଲଂଘନ ଦେଖାଇ ସାଧାରଣ ଲୋକଙ୍କୁ ତଣ୍ଡ ଦେବାରେ ବେଶ ଲାଗିପଡିଥିଲେ । ଲୋକେ ଉପଜିଲ୍ଲାପାଳଙ୍କୁ ଦେଖିଲେ ଭୟରେ ଛାନିଆଁ ହୋଇ ଫେରାର ମାରୁଥିଲେ । ଏମିତିକି ନିଜ ସରକାରୀ ଅଫିସରେ କାହାକୁ ସାକ୍ଷାତ କରିବାକୁ ପ୍ରଥମେ ବାରଣ କରିଥିଲେ । ପରେ ଜଣକୁ ଅନୁମତି ଦେବା ସହ କିଛି ଦିନ ପରେ ମାତ୍ର ଦୁଇ ବ୍ୟକ୍ତିଙ୍କୁ ତାଙ୍କ ଅଫିସକୁ ଯିବା ପାଇଁ ଅନୁମତି ଦେଇ ଚର୍ଚ୍ଚାରେ ରହିଥିଲେ । ମହାମାରୀ କରୋନା ସମୟରେ ରାଜ୍ୟ ଏବଂ ଦେଶର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କୈାଣସି ସରକାରୀ ଅଧିକାରୀ ନୂଆ ଘରୋଇ ଗାଡି ଚଢି ପାରିବେନି କିମ୍ବା ଭଡାରେ ନେଇ ପାରିବେନି ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ତାଙ୍କୁ ଉପଜିଲ୍ଲାପାଳଙ୍କ ଅଫିସରେ ଲାଗିଥିବା ବୋଲେରୋ ଗାଡି ଚଢିବା ପସନ୍ଦ ଆସିଲା ନାହିଁ । ସଙ୍ଗେ ସଙ୍ଗେ ବାବୁ ଆଉ ଏକ ଘରୋଇ ସ୍କୋରପିଓ ଗାଡି (ଯାହାର ନମ୍ବର ଓଡି-୦୩-ଟି-୪୦୦୭) ଚଢ଼ିଥିଲେ । ହେଲେ ଅଶ୍ଚର୍ୟ୍ୟର ବିଷୟ ଯେ, ଏହି ଗାଡିଟି ସେହି ସମୟରେ ଏକ ଘରୋଇ ଗାଡି ଭାବରେ ନାମ ପଂଜିକୃତ ହୋଇଥିଲା ଏବଂ ପରେ ଗତ ଡିସେମ୍ବର ମାସରେ ଏହି ଗାଡି ନମ୍ବରଟି ଟ୍ୟାକ୍ସି ନମ୍ବର ପାଇଥିଲା । ଲୋକଙ୍‌ଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଘରୋଇ ଗାଡିକୁ ଉପଜିଲ୍ଲାପାଳ କେଉଁ ଉଦ୍ଦେଶ୍ୟରେ ରଖି ଦୀର୍ଘ ତିନିରୁ ଚାରିମାସ ପଯ୍ୟର୍ନ୍ତ ନିଜ ସରକାରୀ ଗାଡି ଭାବରେ ବ୍ୟବହୃତ କରିଥିଲେ ଏବଂ ପରେ ଏହି ଘରୋଇ ଗାଡିକୁ କାହିଁକି ଟ୍ୟାକ୍ସି ନମ୍ବରରେ ପରିବର୍ତ୍ତନ କରାଗଲା ତାହା ତଦନ୍ତ ସାପେକ୍ଷ । ଏମିତିକି ଉକ୍ତ ଗାଡିଟି କଣ୍ଟାବାଞ୍ଜି ଆର.ଏମ.ସି. ବିଭାଗ ତରଫରୁ ବିନା ଟେଣ୍ଡରରେ କେମିତି ଉପଜିଲ୍ଲାପାଳ ଅଫିସରେ ଲାଗିଲା ତାହା ଏବେ ଜନସାଧାରଣରେ ଏକ ବଡ ପ୍ରଶ୍ନ ହୋଇ ଠିଆ ରହିଛି । କେବଳ ଏତିକି ନୁହେଁ ମହାମାରୀ କରୋନା ସମୟରେ ଜବରଦଖଳ ଉଚ୍ଛେଦକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ସୋମେଶ ଉପାଧ୍ୟାୟ । ନିରୀହ ଗରିବ ଲୋକଙ୍କ ଉପରେ ଦାଉ ସାଧୁଥିବା ବେଳେ ବଡ ବଡିଆଙ୍କୁ ସବୁ ମାଫ ଭଳି ନୀତିରେ ରାସ୍ତା ପ୍ରଶସ୍ତିକରଣ କରିବା, ନିଜ ବିଭାଗର ଡ୍ରେନକୁ କେବଳ ଭାଂଗି ରାସ୍ତା ଚଉଡା ନାମରେ ଅଯଥା ସରକାରୀ ଅନୁଦାନକୁ ବ୍ୟୟ କରିବା ଆଦି ନେଇ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ଉପଜିଲ୍ଲାପାଳ । ଟିଟିଲାଗଡ ଏକ୍ସିସ ବ୍ୟାଙ୍କକୁ ନୋପାର୍କିଂ ଜୋନରେ ଅଫିସ ଗୃହ ରହିଥିବା ଦର୍ଶାଇ ୧୫ ଦିନ ମଧ୍ୟରେ ଅଫିସ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇ ପରେ ନାମକୁ ମାତ୍ର ଉଚ୍ଛେଦକରିବାକୁ ଆସି ଏକ୍ସିସ ବ୍ୟାଙ୍କ ବଦଳରେ ଏକ କୁଡିଆ ଭାବରେ ରହିଥିବା ଟ୍ୟାକ୍ସି ଷ୍ଟାଣ୍ଡକୁ ଭାଙ୍ଗିଦେବା ଯୋଗୁଁ ଗାଡି ଚାଳକ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଟିଟିଲାଗଡ ବ୍ଲକ ଅଧୀନସ୍ଥ ନିମୂର୍ଲା ଗାଁରେ ଥିବା ଏ.ଆର.ଏସ.ଏସ.ର ପଥର ଖୋଦାନ ଉପରେ ଚଢଉ କରି ସାତ କୋଟି ଟଙ୍କା ଫାଇନ କାଟିବା ଏବଂ ପରବର୍ତ୍ତୀ ସମୟରେ ଘଟଣା ଚାପି ହୋଇଯିବା ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସୋମେଶ ଉପାଧ୍ୟାୟଙ୍କ କାର୍ୟ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଏବେ ବାଟେଘାଟେ ସୋମେଶ ଉପାଧ୍ୟାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.