ଉଦ୍‌ଘାଟିତ ହେଲା ମା’ ଚଣ୍ଡେଶ୍ୱରୀ ଲୋକୋତ୍ସବ

  • ଆଦିବାସୀ ଢ଼େମସା ନୃତ୍ୟରେ ନାଚିଲେ ବିଡ଼ିଓ,ଡାକ୍ତର, ମାଷ୍ଟର, ନେତା ଓ ମନ୍ତ୍ରୀ,

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଉଦ୍‌ଘାଟିତ ହେଲା ମା ଚଣ୍ଡେଶ୍ୱରୀ ଲୋକୋତ୍ସବ । କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମା’ ଚଣ୍ଡେଶ୍ୱରୀ ଲୋକୋତ୍ସବ । ଶୀତୁଆ ସନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କ ଭିଡ଼ ସାଙ୍ଗକୁ ଦର୍ଶକଙ୍କ ମନମୋହୁଛି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ଡାକ ବଙ୍ଗଳା ଖେଳ ପଡିଆ ଠାରେ ମା’ ଚଣ୍ଡେଶ୍ୱରୀ ଲୋକୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ସଇଁତଲା ବିବେକାନନ୍ଦ ପାଠାଗାର ଆନୁକୂଲ୍ୟରେ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଇଁତଲାର ଇଷ୍ଟ ଦେବୀ ମା’ ଚଣ୍ଡୀ ମନ୍ଦିର ଠାରୁ ଏକ ମଶାଲ ଓ ଚଣ୍ଡୀ ଫଟୋ ଚିତ୍ର ଧରି ବିଶାଳ ଶୋଭାଯାତ୍ରାରେ ବାହାରି ମଞ୍ଚକୁ ଅଣାଯାଇଥିଲା । ପରେ ପାଠାଗାରର ସଭାପତି ଭୀମସେନ ସ୍ୱାଇଁଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବଟି ଅନୁଷ୍ଠିତ ହୋଇଥିଲା । କୁମ୍ଭାରୀ ଗାଁର ଆଘୋରୀ ନୃତ୍ୟ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଥିଲା । ସଇଁତଲା କନ୍ୟାଶ୍ରମ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସର୍ଗିଫୁଲ ନୃତ୍ୟ, କଳାହାଣ୍ଡିର ଘୁମୁରା ନୃତ୍ୟ ଓ କୋରାପୁଟର ଢ଼େମସା ନୃତ୍ୟ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । କୋରାପୁଟର ଢେମସା ନୃତ୍ୟକୁ ଦେଖି କେହି ସମ୍ଭାଳି ପାରିନଥିଲେ । ଗୀତର ତାଳେ ତାଳେ ସଇଁତଲା ବିଡ଼ିଓ ବିନୟ ଭୋଇ, ଡାକ୍ତର ବିଶ୍ୱଜିତ ମିଶ୍ର, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲାପରିଷଦ ସଭ୍ୟ ଏବଂ ଅନ୍ୟମାନେ ମଞ୍‌ଞ୍ଚ ଉପରେ ନାଚିଥିଲେ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ସଇଁତଲା ମାଟିରେ ଅନେକ କଥା ରହିଛି, ରାଜା ରାଜୁଡ଼ି ଶାସନରେ ଯେତେବେଳେ ଖାରବେଳ ରାଜା ଆସୁଥିଲେ ସେହି ସମୟରେ ସୈନ୍ୟ ମାନେ ଏହି ସଇଁତଲାରେ ରାତ୍ରିରେ ବିଶ୍ରାମ କରୁଥିଲେ ବୋଲି କହିଥିଲେ । ବିଡ଼ିଓ ବିଜୟ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନ ଏକ ପରମ୍ଫରା ରହିଛି ଏହି ମାଟିରେ, କଳା, ସଂସ୍କୃତି ସବୁବେଳେ କେମିତି ଜୀବିତ ରହିବ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାର ମାନଙ୍କୁ ଦିଆଯାଉ ଥିବା କଳାକାର ଭତ୍ତାକୁ କଳାକାର ମାନେ କିଭଳି ଭାବେ ପାଇ ପାରିବ ଆଗାମୀ ଦିନରେ ସେନେଇ ବ୍ଲକ ପ୍ରଶାସନ ଚେଷ୍ଟା କରିବ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.