- ୯ ବର୍ଷ ବର୍ଗରେ ରାଜ୍ୟ ଚମ୍ପିୟାନ ହେଲେ ଅର୍ଣ୍ଣବ ସାହୁ
- ଇଷ୍ଟ ଜୋନ ଚମ୍ପିୟାନ ହେଲେ ଜୟଶ ଅଗ୍ରୱାଲ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ମିନି ସବ୍ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗିରର ଖେଳାଳି ଅର୍ଣ୍ଣବ ସାହୁ ନିଜ ବୟସ ବର୍ଗରେ ପୁଣି ଥରେ ଚମ୍ପିୟାନ ହୋଇଛନ୍ତି । ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ୮ ଜଣ ଖେଳାଳି ପ୍ରତିନିଧିତ୍ୱ କରିଥିଲେ । ୯ ବର୍ଷ ବୟସ ବର୍ଗରେ ବଲାଙ୍ଗିରର ଖେଳାଳି ଅର୍ଣ୍ଣବ ନିଜ ପ୍ରତିଦ୍ୱନ୍ଦୀ ଶ୍ରୀହାନ ପଟ୍ଟନାୟକଙ୍କୁ ୨୧/୫, ୨୧/୧୨ ସିଧାସଳଖ ଦୁଇଟି ସେଟରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦୁଇମାସ ତଳେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ମଧ୍ୟ ସେ ରାଜ୍ୟ ଚମ୍ପିୟାନ ହୋଇଥିଲେ । ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଜି. ଗୌତମ, ଆଦ୍ୱେ÷ତ ବଳରାଜ କର ନିଜ ନିଜ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ପହଂଚି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବଲାଙ୍ଗିରର ଖେଳାଳି ସାଇ ଆୟୁଷ, ଶ୍ରୀହାଂଶ ପତି, ଅରୁଜ ମହାଣା, ସାଇ ଶଙ୍କର ପାଢି, ସମର୍ଥ ପାଢି ମଧ୍ୟ ପ୍ରମୁଖ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ଠିକ୍ ସେହିପରି ବଲାଙ୍ଗିରର ଖେଳାଳି ଜୟଶ ଅଗ୍ରୱାଲ ଝାରଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ହୋଇଥିବା ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ରେ ଜୁନିୟର ବର୍ଗରେ ଓଡିଶା ତରଫରୁ ପ୍ରତିନିଧିତ୍ୱ କରି ମିକ୍ସ ଡବଲ୍ସରେ ନିଜର ସାଥୀ ସ୍ୱିଟିପ୍ରିୟା ପ୍ରଧାନଙ୍କ ସହ ଫାଇନାଲରେ ଉତ୍ତରାଖଣ୍ଡ ଖେଳାଳି ଗର୍ବ ସାହାଣି ଓ ଅନ୍ୟା ବିସ୍ତଙ୍କୁ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ବଲାଙ୍ଗିରରେ ବ୍ୟାଡମିଣ୍ଟନ ଖେଳର ମାହୋଲ ଶୀର୍ଷରେ ଥିବାବେଳେ ଏହି ଉଭୟ ଖେଳାଳିଙ୍କ ସଫଳତା ନିଶ୍ଚିତ ଭାବରେ ଅନ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିବ ବୋଲି ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ସାଧାରଣ ସଂପାଦକ ସୁରୁଲାଲ ମଟାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ତଥା ଏହି ଉଭୟ ଖେଳାଳିଙ୍କ ସଫଳତା ପାଇଁ ସଂଘ ସଭାପତି ଗୋପାଳ ପଣ୍ଡା, ଉପ-ସଭାପତି ଘନଶ୍ୟାମ ମିଶ୍ର, ପବିତ୍ର ବେହେରା, ମାନସ ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଖେଳାଳିମାନଙ୍କର ଆଗାମୀ ଦିନରେ ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ କାମନା କରିଛନ୍ତି ।