jayashree

ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର

ଭୁବନେଶ୍ୱର, (ପିଆଇବି) : ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ଆଜି ଆୟୋଜିତ ‘ଭାରତୀୟ ଚଳଚ୍ଚିତ୍ର-୪ସି’ ଶୀର୍ଷକ ୱେବିନାର ଆଲୋଚନାଚକ୍ରରେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟର ଫିଲ୍ମ ଏବଂ ଗଣମାଧ୍ୟମ ବିଭାଗର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଖଟୁଆ ଭାରତୀୟ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପୌରାଣିକ ବିଷୟବସ୍ତୁରୁ ଆରମ୍ଭ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ଐତିହାସିକ, ସାମାଜିକ ଏବଂ ପ୍ରେମକାହାଣୀର ଆଧାର ପରେ ପରୀକ୍ଷାମୂଳକ କାହାଣୀରେ ପହଞ୍ଚିଛି ବୋଲି କହିଛନ୍ତି । ମୋଟ ଉପରେ ଚଳଚ୍ଚିତ୍ର ଦର୍ଶକର ଅଂଶଗ୍ରହଣ ଉପରେ ନିର୍ଭର କରୁଥିବାରୁ ଦର୍ଶକ ହଲକୁ ନ ଆସିଲେ ଚଳଚ୍ଚିତ୍ର ଶିଳ୍ପ ତିଷ୍ଠିବ ନାହିଁ ବୋଲି କହିଥିଲେ । ଚଳଚ୍ଚିତ୍ର ଶିଳ୍ପ ଟେଲିଭିଜନକୁ ଅନେକ କିଛି ଦେଇଛି ଏବଂ ଷ୍ଟୁଡିଓରୁ ବାହାରି ମୁକ୍ତ ବାତାବରଣକୁ ଆସିବା କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ଓ ପ୍ରଗତିର ଭୂମିକା ରହିଛି ବୋଲି ମଧ୍ୟ କହିଥିଲେ । ପରସ୍ପର ସହ ଲୋକଙ୍କୁ ଯୋଡିବା, ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା, ସୃଜନଶୀଳତା ଏବଂ ରୁଚି ଭାରତୀୟ ସିନେମାର ବୈଶିଷ୍ଟ୍ୟ ବୋଲି ମଧ୍ୟ କହିଥିଲେ ।
ଚଳଚ୍ଚିତ୍ର ଜଗତ ସମ୍ପର୍କରେ ଭଲଭାବରେ ଧାରଣା ନ ଥିବା ଲୋକମାନେ ଏହି ଶିଳ୍ପ ଭିତରକୁ ପ୍ରବେଶ କରୁଥିବାରୁ ଫିଲ୍ମ ଦେଖିବା ପ୍ରତି ଲୋକଙ୍କର ଆଗ୍ରହ କମିଯାଉଛି ବୋଲି ଓଡିଆ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ କହିଛଛନ୍ତି । ଏକ ଗଣମାଧ୍ୟମ ଭାବରେ ଏଥିରେ ଏକକାଳୀନ ଅନେକ ଲୋକଙ୍କର ଭୂମିକା ରହୁଥିବାରୁ ସମସ୍ତଙ୍କର ସମନ୍ୱୟ ରକ୍ଷା କରାଗଲେ ଚଳଚ୍ଚିତ୍ର ଲୋକପ୍ରିୟ ହୋଇପାରିବ ବୋଲି ସେ ମତ ଦେଇଥିଲେ ।
ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଚୈତନ୍ୟ ପ୍ରସାଦ ଆଲୋଚନା ପ୍ରସଙ୍ଗରେ କହିଛନ୍ତି । ଲୋକଙ୍କୁ ପରସ୍ପର ସହିତ ଯୋଡିବା, ସକାରାତ୍ମକ ସୂଚନା ଦେବା,ସୃଜନଶୀଳତାର ପରିପ୍ରକାଶ ଏବଂ ଲୋକଙ୍କ ରୁଚି ମୁତାବକ ଭାରତୀୟ ଚଳଚ୍ଚିତ୍ର ଗୁଡିକ ନିର୍ମିତ ହେଉଥିବାରୁ ବିଶ୍ୱସ୍ତରରେ ଏଗୁଡିକ ଏକ ବ୍ରାଣ୍ଡ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀ ପ୍ରସାଦ କହିଥିଲେ। ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଆଲୋଚନାର ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇ ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଚଳଚ୍ଚିତ୍ର ସହାୟକ ହୋଇଥାଏ ବୋଲି କହିଥିଲେ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କର ଆଲୋଚନାର ପ୍ରସଙ୍ଗ ଉପରେ ରହିଥିବା ମନ୍ତବ୍ୟ ଉଦ୍ଧାର କରି ଦେଶକୁ ଯୋଡି ରଖିବାରେ, ଯୋଗାଯୋଗକୁ ଦୃଢ କରିବାରେ ତଥା ଲୋକଙ୍କୁ ରୁଚି ମୁତାବକ ଶିକ୍ଷା ଦେବାରେ ଚଳଚ୍ଚିତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସାମ୍ବାଦିକ ପ୍ରାଚୀ ମହାପାତ୍ର ଏହି କାର୍ୟ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି ୱେବିନାର ଆଲୋଚନାଚକ୍ରରେ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ପତ୍ରସୂଚନା କାର୍ୟ୍ୟାଳୟର ଅଧିକାରୀଗଣଙ୍କ ସମେତ ବହୁ ଚଳଚ୍ଚିତ୍ର ପ୍ରେମୀ ଯୋଗଦେଇ ପ୍ରଶ୍ନ ଉତ୍ତର କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.