ଖୋର୍ଦ୍ଧା-ବଲାଙ୍ଗିର ରେଳପଥର 226 କିମି ସେକ୍ସନରେ ଟ୍ରେନ୍ ଚଳାଚଳ ଜାରି ରହିଛି : ରେଳ ମନ୍ତ୍ରୀ

• 150 କିମି ତାଳଚେର-ବିମଳାଗଡ଼ ନୂତନ ରେଳପଥର 34 କିମି ସେକ୍ସନ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ, (ପିଆଇବି) : ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ମୋଟ୍ ଦୂରତା 301 କିଲୋମିଟର ହୋଇଥିବା ବେଳେ ନଭେମ୍ବର 2025 ସୁଦ୍ଧା ଏଥିମଧ୍ୟରୁ 226 କିଲୋମିଟର ରେଳ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଛି । ଆଜି ରାଜ୍ୟସଭାରେ ଓଡ଼ିଶାରେ ରେଳ ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀଙ୍କ ସୂଚନା ମୁତାବକ, 5,089 କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଦ୍ରୁତ ଗତିରେ ଜାରି ରହିଛି। ମାର୍ଚ୍ଚ 2025 ସୁଦ୍ଧା ଏହି ପ୍ରକଳ୍ପରେ 4,311 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ଏହି ପ୍ରକଳ୍ପ ପାଇଁ ମୋଟ୍ ଆବଶ୍ୟକ 3274.41 ଜମି ମଧ୍ୟରୁ 3158.10 ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି । 226 କିଲୋମିଟର ଲମ୍ବ ଏହି ପ୍ରକଳ୍ପ ମଧ୍ୟରୁ ଖୋର୍ଦ୍ଧା ପଟରୁ ଖୋର୍ଦ୍ଧା ରୋଡ-ଦଶପଲ୍ଲା 106 କିଲୋମିଟର ଏବଂ ବଲାଙ୍ଗିର ପଟୁ ବଲାଙ୍ଗିରରୁ ପୁରୁଣା କଟକ ପର୍ଯ୍ୟନ୍ତ 120 କିଲୋମିଟର ରେଳ ମାର୍ଗରେ ରେଳ ଚଳାଚଳ ଆରମ୍ଭ କରିସାରିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅବଶିଷ୍ଟ କାମ ଜାରି ରହିଛି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଝାରସୁଗୁଡ଼ା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ କ୍ଷେତ୍ରରେ ରେଳ ଯୋଗାଯୋଗରେ ସୁଧାର ଲାଗି ତାଳଚେର-ବିମଳାଗଡ଼ ନୂଆ ଲାଇନ୍ (150 କିମି), ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ (101 କିମି), ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ (206 କିମି), ସମ୍ବଲପୁର-ଜରପଡ଼ା ତୃତୀୟ ଏବଂ ଚତୁର୍ଥ ଲାଇନ୍ (127 କିମି), ନିର୍ଗୁଣ୍ଡି-ବିଜୟନଗରମ ତୃତୀୟ ଲାଇନ (385କିମି) ସମେତ ମୋଟ୍ 14ଟି ରେଳ ଲାଇନ ପ୍ରକଳ୍ପ, ଫ୍ଲାଇଓଭର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।
ଶ୍ରୀ ବୈଷ୍ଣବ କହିଛନ୍ତି, ତାଳଚେର-ବିମଳାଗଡ଼ (150 କିଲୋମିଟର) ନୂତନ ରେଳପଥ ଏକ ଅନୁମୋଦିତ ପ୍ରକଳ୍ପ । ପ୍ରକଳ୍ପର ମୂଲ୍ୟ 1,928 କୋଟି ଟଙ୍କା ହୋଇଥିବା ବେଳେ ମାର୍ଚ୍ଚ 2025 ସୁଦ୍ଧା ଏଥିପାଇଁ 1646 ଟଙ୍କା କୋଟି ଖର୍ଚ୍ଚ ହୋଇଛି । ବର୍ତ୍ତମାନ ସୁଦ୍ଧା, ମୋଟ ଆବଶ୍ୟକ 858.64 ହେକ୍ଟର ଜମି କ୍ଷେତ୍ରଫଳରୁ 751.57 ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି । ଉପଲବ୍ଧ ଜମିରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ନଭେମ୍ବର 2025 ସୁଦ୍ଧା 34 କିଲୋମିଟର ସେକ୍ସନ (ତାଳଚେର-ପାରାବିଲ) କାର୍ଯ୍ୟକ୍ଷମ କରାଯାଇଛି । ଅବଶିଷ୍ଟ ସେକ୍ସନଗୁଡ଼ିକର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.