୬ ବର୍ଷର ପୁଅର ମୃତ୍ୟୁ ପରେ ଚକ୍ଷୁଦାନ କଲେ ବାପା

ବରଗଡ଼, (ନିରୋଜ କୁମାର ପାଣୀ) : ସୌରଭ ଲୁହା ବୟସ ମାତ୍ର ୬ ବର୍ଷ । ପିତା-ଭୋଳାନାଥ ଲୁହା ମାତା ସୁରେଶ୍ଵରୀ ଲୁହା । ଘର ଏସ୍‌. ଡୁମ୍ୱେରପାଲି, ବରଗଡ଼ । ଅତ୍ୟନ୍ତ ଗରିବରୁ ଗରିବ ପରିବାର । ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାର । ଭୋଳାନାଥଙ୍କ ଏକମାତ୍ର ପୁଅ ନାଁ ତାର ସୌରଭ । ବୟସ ଛଅ ବର୍ଷ । ହଠାତ ଦେହ ଅସୁସ୍ଥ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ବାପା ଭୋଳାନାଥ ଭାବିଲେ ପୁଅଟା ଦୁନିଆଁ ଛାଡ଼ି ଚାଲିଗଲା । ପୁଅର ଦୁଇ ଆଖିରୁ ଯଦି ଆଉ ଦୁଇଜଣ ଏ ରଙ୍ଗୀନ ଦୁନିଆଁ ଦେଖି ପାରିବେ ତେବେ ତାଙ୍କ ପୁଅର ଜନ୍ମ ହେବା ସାର୍ଥକ ହେବ ଭାବି ଚକ୍ଷୁ ଦାନ ପାଇଁ ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିଥିଲେ । ବୁର୍ଲା ଡ଼ାକ୍ତରଖାନାର ଚକ୍ଷୁ ବିଭାଗର ଡ଼ାକ୍ତର ମହେଶ କୁମାର ସାହୁ, ସ୍ମିତି ପଟେଲ ଓ ସୁରେଶ ତ୍ରିପାଠୀଙ୍କ ଉପସ୍ଥିତିରେ ଚକ୍ଷୁଦାନ ପ୍ରକିୟା ଶେଷ ହେଲା । ନିଷ୍ଠା ପରିବାର ସହଯୋଗରେ ପୁଅର ଶବକୁ ଗାଁକୁ ନେଇ ଫେରିଲେ ପରିବାର ଲୋକ । ସୌରଭର ମୃତ୍ୟୁ ହେଲା ସତ କିନ୍ତୁ ବାପାଙ୍କର ମଣିଷ ପଣିଆ ପାଇଁ ଚିରଦିନ ପାଇଁ ଅମର ହେଲା ପୁଅ ସୌରଭ । ପରିବାରର ଏ ମହତ୍ କାମ ପାଇଁ ନିଷ୍ଠା ପରିବାର ତାଙ୍କ ପରିବାର ବର୍ଗଙ୍କୁ କୋଟି କୋଟି ପ୍ରଣାମ ଜଣାଇଛି ।

Leave A Reply

Your email address will not be published.