ରମ୍ଭା ଗାୟତ୍ରୀ ଶକ୍ତିପୀଠରେ ଚକ୍ଷୁ ଚିକିତ୍ସା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ନଗରୀର ଗାୟତ୍ରୀ ଶକ୍ତିପୀଠର ୩୭ତମ ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଇକସ ଚକ୍ଷୁ ଚିକିତ୍ସାଳୟ ବ୍ରହ୍ମପୁର ସହଯୋଗରେ ଆରମ୍ଭ ଶିବିରରେ ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସ ପ୍ରଥମେ ବେଦମନ୍ତ୍ର ପାଠ କରିଥିଲେ । ଏହି ଚକ୍ଷୁ ଚିକିତ୍ସା ଶିବିରରେ ରମ୍ଭା ଏନ୍‌ଏସିର ପ୍ରାକ୍ତନ ନଗରପାଳ ତଥା ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି, ଯୋଗଗୁରୁ ରବୀନ୍ଦ୍ର ବେହେରା ସମ୍ମାନୀତ ଅତିଥି ଏବଂ ରମ୍ଭା ଗାୟତ୍ରୀ ଶକ୍ତିପୀଠର ସହାୟକ ଟ୍ରଷ୍ଟି ରୂପଶ୍ରୀ ସେନାପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପରଳ ଯୋଗୁଁ ମଣିଷ କିପରି ଦୃଷ୍ଟିଶକ୍ତି ହରାଇଥାଏ ଏବଂ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ମଣିଷ କିପରି ପୁଣି ଭଲଭାବେ ଦେଖିପାରେ ସର୍ବୋପରି ଚକ୍ଷୁ ହିଁ ମଣିଷର ସର୍ବଶ୍ରେଷ୍ଠ ଅଙ୍ଗ ଏବଂ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯତ୍ନବାନ ହେବା ଉଚିତ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ ଶିବିରରେ ଗଞ୍ଜାମ, ଖଲ୍ଲିକୋଟ ବ୍ଲକର ପ୍ରାୟ ଦୁଇଶହରୁ ଅଧିକ ଚକ୍ଷୁରୋଗୀ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ୩୨ଜଣ ପରଳ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଇକସ ହସ୍ପିଟାଲ, ବ୍ରହ୍ମପୁରକୁ ନିଆଯାଇଛି । ଏହି ଶିବିରକୁ ଟ୍ରଷ୍ଟି ଉମାକାନ୍ତ ସାହୁ, ଟ୍ରଷ୍ଟି ରଥାଙ୍ଗ ରମଣ ନାହାକ, ଗାୟତ୍ରୀ ପରିବାର ବିଶ୍ୱମଙ୍ଗଳ ଗୋକଲ୍ୟାଣ ସମିତିର ସହସଂଯୋଜକ ରବି ନାରାୟଣ ସେନାପତି, ଗୌରାଙ୍ଗ ପାଟଣା ସଂଯୋଜକ ଶେଷଦେବ ବେହେରା, ରବୀନ୍ଦ୍ର ଗୌଡ଼, ଚନ୍ଦନ କୁମାର ବେହେରା, ଶିବରାମ ଗୌଡ଼, ଲିଙ୍ଗରାଜ ପାତ୍ର, ଝଡିଆ ନାହାକ, କୁମୁଦ ରଞ୍ଜନ ପ୍ରଧାନ, ମହେଶ୍ୱର ବେହେରା, ମୋଚିରାମ ବେହେରା, ସୁଦର୍ଶନ ଜେନା, ଲମ୍ବୋଦର ମହାନ୍ତି ପରିଚାଳନା କରିଥିଲେ । ବାର୍ଷିକ ଉତ୍ସବର ଦ୍ଵିତୀୟ ଦିନ ଅର୍ଥାତ ଆସନ୍ତାକାଲି ବହୁ ସଂଖ୍ୟାରେ ରକ୍ତଦାତାମାନେ ଯୋଗଦେଇ ରକ୍ତଦାନ ଶିବିରକୁ ସଫଳ କରିବାକୁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.