ପିପଲପଦର ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତୀ ଅବସରରେ ଯୋଗଦେଲେ ଦୁଇ ମନ୍ତ୍ରୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପରିଚିତ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ଅଧିକାରୀମାନେ ସ୍ୱାଗତ କରିବା ସହ ତାଙ୍କୁ ସଭା ସ୍ଥଳକୁ ପାଛୋଟି ଆଣିଥିଲେ । ଏସ୍‌ସିଡି ସେଣ୍ଟରର ଭିନ୍ନକ୍ଷମ ଛାତ୍ରମାନେ ଅତି ସୁନ୍ଦର ବାଦ୍ୟ ପରିବେଷଣ କରି ଅତିଥିଙ୍କୁ ସ୍ୱାଗତ କରିବା ଅତିଥିଙ୍କ ମନମୋହି ନେଇଥିଲେ । ଏହାପରେ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ମୁଖ୍ୟ ଅତିଥିମାନଙ୍କ ସହ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଦୟାମୟ ପାଢୀ, ଚକ୍ଷୁ ଚିକିତ୍ସାଳୟର ସମ୍ପାଦିକା ଶ୍ରୀମତୀ ଅଞ୍ଜଳି ବେହେରା, ସଂସ୍ଥାର ସଭାପତି ନକୁଳ ବାଗ, କୋଷଧ୍ୟକ୍ଷ ତାପସ ମହାରଣା, ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିଙ୍କ ଦ୍ବାରା ଦୀପ ପ୍ରଜ୍ବଳନ କରିବା ପରେ ସୌଭେନର ଉନ୍ମୋଚନ ହୋଇଥିଲା । ଏହାପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ପରିଚାଳନା କରିଥିଲେ ସଭାପତି ନକୁଳ ବାଗ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ନିଜର ବକ୍ତବ୍ୟ ପ୍ରଦାନ କରି ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ଅବଦାନ ବିଷୟରେ ଆଲୋକପାତ କରିବା ସହ ତାଙ୍କର ସେବା ପ୍ରଦାନ କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଏହି ଅବସରରେ ଏସ୍‌ସିଡିର ଶୁଭ ଚିନ୍ତକ ଭାବରେ ବିଭାସ କୁଣ୍ଡୁ, ପ୍ରତିଷ୍ଠିତ ଓକିଲ ସତ୍ୟ ନାରାୟଣ ସାହୁ, ଲାୟନସ କ୍ଲବ ସଭାପତି ସନ୍ତୋଷ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରୀ ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ଟିଟିଲାଗଡ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ୍, ଈଶ୍ୱର ଜୈନ, ଗୋପାଳ ଲାଠ, ଲଳିତା ଲାଠଙ୍କ ସମେତ ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଚକ୍ଷୁ ଚିକିତ୍ସାଳୟର ପ୍ରୋଜେକ୍ଟ କୋର୍ଡିନେଟର ଅମିତାଭ ବେହେରା, ଫିଲ୍ଡ କୋର୍ଡିନେଟର ସଇଲେନ୍ଦୁ ନନ୍ଦ, ପରେସ ବାଗ, ପ୍ରଦୀପ ଯୋଶୀ, ପ୍ରାଣ ରଞ୍ଜନ ସାଗର, ସୁମିତ ପ୍ରଧାନ ଓ କର୍ମଚାରୀ ଗଣ ସହଯୋଗ କରିଥିଲେ । ଶେଷରେ କୁନି କୁନି ପିଲାମାନଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.