- ୧୯ କେଜି ବିଶିଷ୍ଟ ୧୧୬ ଗୋଟି ଫୁଲ ସିଲିଣ୍ଡର ଓ ୨୭୦ ଗୋଟି ବ୍ୟବହୃତ ବ୍ୟବସାୟିକ ଖାଲି ସିଲିଣ୍ଡର ଜବତ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ତଥା ସୋନପୁର ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ଦ୍ୱାରା ତତ୍ୱାବଧାରକ ମନୋଜ କୁମାର ସାହୁଙ୍କ ଖମ୍ବେଶ୍ୱରୀପାଲି ଇଣ୍ଡିଏନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚଢ଼ାଉରେ ସମ୍ପୃକ୍ତ ବ୍ୟବସାୟର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମରୁ ୧୯ କେଜି ଓଜନ ବିଶିଷ୍ଟ ୧୧୬ ଗୋଟି ଫୁଲ୍ ସିଲିଣ୍ଡର ଓ ବ୍ୟବହୃତ ବ୍ୟବସାୟିକ ୨୭୦ ଗୋଟି ଖାଲି ସିଲିଣ୍ଡରକୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଜବତ କରାଯାଇଛି । ବେସାମାରିକ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ଶ୍ରୀମତୀ ପ୍ରଣତି ପୃଷ୍ଟିଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ଵଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ସାମିଲ ରହିଥିଲେ । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।