ଯୋଗୀମୁଣ୍ଡା ଏସ୍‌ଏମ୍‌ସି ଚାଉଳ ଗୋଦାମରେ ଚଢାଉ : ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୁଗୀମୁଣ୍ଡାଠାରେ ଥିବା ଏସ୍‌ଏମ୍‌ସି ଚାଉଳ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରିଥିଲା । ଏହି ଚଢାଉରେ ଉକ୍ତ ଗୋଦାମରେ ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିବା ପାଟଣାଗଡ଼ ସପଲାଏ ଇନ୍‌ସ୍ପେକ୍ଟର ରାଜାରାମ ହୋତାଙ୍କଠାରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏସ୍‌ଡବ୍ଲୁଓ ଏବଂ ସିଏସ୍‌ଓଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଏସିଏସ୍‌ଓ ମାୟାଧର ସାହୁଙ୍କ ନେତୃତ୍ବରେ ବେଲପଡା ସପଲାଏ ଇନ୍‌ସ୍ପେକ୍ଟର ବିଜୟ କୁଲୁ ଓ ସ୍ଥାନୀୟ ସପଲାଏ ଇନସ୍ପେକ୍ଟର ରାଜାରାମ ହୋତାଙ୍କ ସହ ଏକ ଟିମ୍‌ ଗୁରୁବାର ସଂନ୍ଧ୍ୟା ସମୟରେ ଯୋଗୀମୁଣ୍ଡା ସ୍ଥିତ ଏସ୍‌ଏମ୍‌ସି ଚାଉଳ ଗୋଦାମ ଉପରେ ଚଢାଉ କରିଥିଲେ । ଉକ୍ତ ଗୋଦାମଟି ଅଶୋକ ଜୈନଙ୍କ ବୋଲି ଜଣାପଡିଥିବା ବେଳେ ଏହି ଦାୟିତ୍ୱରେ ଥିବା ମୁଖ୍ୟ କଣ୍ଟ୍ରାଟର ତୋଫାନ ମେହେର ବୋଲି ଜଣାପଡିଛି । ଅପରପକ୍ଷରେ ପେଟି କଣ୍ଟ୍ରାଟର ଭାବେ ଜଦୁ ମେହେର ଉକ୍ତ ଗୋଦାମରେ ଚାଉଳ ରଖି ଆସୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଚଢାଉ ପରେ ୧୬ ଶହ ୪୦ ପ୍ୟାକେଟ ଚାଉଳ ଗଚ୍ଛିତ ଥିବା ଦେଖିବାକୁ ପାଇଥିବା ନେଇ ପାଟଣାଗଡ଼ ସପଲାଏ ଇନ୍‌ସ୍ପେକ୍ଟର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କାଗଜ ପତ୍ର ପକ୍ରିୟା ଯାଞ୍ଚ କରାଯିବା ସହ ତଦନ୍ତ ଚାଲିଛି । ଏ ସମ୍ପର୍କରେ ପାଟଣାଗଡ଼ ଏସିଏସ୍‌ଓ ସବିଶେଷ ତଥ୍ୟ ଦେଇପାରିବେ ବୋଲି ପ୍ରକାଶ କରିଥିଲେ । ଉପରୋକ୍ତ ଘଟଣା ସଂମ୍ପର୍କରେ ଟିମ୍‌ ଦାୟିତ୍ୱରେ ଥିବା ପାଟଣାଗଡ଼ ଏସିଏସ୍‌ଓ ମାୟାଧର ସାହୁଙ୍କୁ ବାରମ୍ବାର ଫୋନ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ପରିଚୟ ପାଇବା ପରେ ଫୋନ କାଟି ଦେଇ ପରେ ଆଉ ଉଠାଇ ନଥିଲେ । ଏହାକୁ ନେଇ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଥିଲା । ଏହି ଚାଉଳ ଦାୟିତ୍ୱରେ ଥିବା କଣ୍ଟ୍ରାଟର ଓ ପେଟି କଣ୍ଟ୍ରାଟରଙ୍କୁ ସୁରକ୍ଷା ଦେବା ପାଇଁ ଏସିଏସ୍‌ଓ ଶ୍ରୀ ସାହୁ ଫୋନ ଉଠାଇ ନଥିବା ଅଭିେଯାଗ ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏକ ବଡ ଧରଣର ହେର୍‌ଫେର୍‌କୁ ଚଲାଇବା ପାଇଁ ଗୋଦାମ ଭିତରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave A Reply

Your email address will not be published.