ଅନେକ ବର୍ଷର ପ୍ରତିକ୍ଷା ପରେ ଇନ୍ଦ୍ରାବତୀ ଦକ୍ଷିଣ ସମ୍ପ୍ରସାରଣ କେନାଲରେ ଜଳ ସେଚନ

ଜୟପାଟଣା, (ଶେଷଦେବ ବେହେରା ) : ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ପାଇଁ ଜୀବନ ରେଖା ସାଜିଥିବା ବେଳେ କେତେକ ସ୍ଥାନର ଚାଷୀ ବର୍ଷ ବର୍ଷ ଧରି କେନାଲ ଥାଇ ମଧ୍ୟ ଜଳ ସେଚନରୁ ବଞ୍ଚିତ ରହୁଥିଲେ । ଚଳିତ ବର୍ଷ ସେହି ସବୁ ଅଞ୍ଚଳର ଅନେକାଂଶ ଅଞ୍ଚଳକୁ ଖରିଫ ଜଳ ସେଚନ ଯୋଗାଇବାରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଗ ଜଳ ସେଚନ ଯୋଗାଇବାରେ ସଫଳ ହୋଇଛି ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି । ଫଳରେ ସଂପୃକ୍ତ ଅଂଚଳର ଚାଷୀଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ୨୦୦୩/୦୪ମସିହାରୁ କାର୍ଯ୍ୟାରମ୍ଭ ହୋଇ ୨୦୧୪/୧୫ମସିହାରେ ପୂର୍ଣ୍ଣାଙ୍ଗ ହୋଇଥିଲା । ଏହି କେନାଲ ପରିଧି ମଧ୍ୟରେ ଭବାନୀପାଟଣା ବ୍ଲକର ୫୫ଖଣ୍ଡ ଗ୍ରାମ ଓ କେସିଙ୍ଗା ବ୍ଲକର ୨୨ଖଣ୍ଡ ଗ୍ରାମରେ ଜଳସେଚନ ପାଇଁ କେନାଲ ଖୋଲା ଯାଇଥିଲା । ଦକ୍ଷିଣମୁଖ୍ୟ କେନାଲ ମୂଖି ଗୁଡା ଠାରୁ ବଡ଼ଫୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଦୈର୍ଘ୍ୟ ୮୮କିଲୋମିଟର ରହିଥିବା ବେଳେ ଦକ୍ଷିଣ ସମ୍ପ୍ରସାରଣ ପ୍ରଣାଳୀରେ ବଡ଼ଫୁଣ୍ଡା ଠାରୁ ଗୌଡତୁଳା ପର୍ଯ୍ୟନ୍ତ ୪୭କିଲୋମିଟର ଦୀର୍ଘ ଲମ୍ବ ରହିଅଛି । ଏହି ସମ୍ପ୍ରସାରଣ କେନାଲ ଦ୍ଵାରା ଭବାନୀପାଟଣା ଓ କେସିଙ୍ଗା ବ୍ଲକର ୧୫୨୬୦ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ସତ୍ତ୍ୱେ ବର୍ଷ ବର୍ଷ ଧରି ଏଠିକାର ଚାଷୀମାନଙ୍କୁ ଜଳ ସେଚନ ସୁବିଧାରୁ ବଞ୍ଚିତ ହେବାକୁ ପଡୁଥିଲା । ଏବେ ଦକ୍ଷିଣ ମୁଖ୍ୟ କେନାଲର ପ୍ରଥମ ୪୪କିଲୋମିଟର କଂକ୍ରିଟ ଲାଇନିଂ ହେବା ପରେ ସମ୍ପ୍ରସାରଣ ଅଞ୍ଚଳର କେନାଲ ମରାମତି ଯୋଗୁ ଚଳିତ ଖରିଫରେ ଭବାନୀପାଟଣା ଓ କେସିଙ୍ଗା ବ୍ଲକର ୯୦୦୦ ହେକ୍ଟର ଜମିର ଚାଷୀ ଏବେ ନିଜ ଚାଷ ଜମିରେ ଇନ୍ଦ୍ରାବତୀର ପାଣି ଦେଖିବାରେ ସକ୍ଷମ ହୋଇ ପାରିଛନ୍ତି । ଏହିସବୁ ଅଞ୍ଚଳ ଦକ୍ଷିଣ କେନାଲ ବିଭାଜନ ୨ ଜୁନାଗଡ଼ ମଧ୍ୟରେ ଆସୁଅଛି । ଏବେ ମୁଖ୍ୟ କେନାଲର ୮୮କିଲୋମିଟର ପର୍ଯ୍ୟନ୍ତ କଂକ୍ରିଟ ଲାଏନିଂ ପୂର୍ଣ୍ଣାଙ୍ଗ ହୋଇପାରିଲେ ସମସ୍ତ ସମ୍ପ୍ରସାରଣ ଅଞ୍ଚଳରେ ଜଳ ସେଚନ ହୋଇପାରିବ ବୋଲି ସୂଚନା ମିଳିଛି । ଚାଷୀଙ୍କ ପାଇଁ ବିଭାଗ ଉଦ୍ୟମ ଜାରି ରଖିଥିବାରୁ ସଂପୃକ୍ତ ଚାଷୀମାନେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ଓ ଅଧିକ୍ଷଣ ଯନ୍ତ୍ରୀ ରାଜ କୁମାର ବେହେରାଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.