କେନାଲରେ ବୁଡ଼ି ଯୁବକ ମୃତ

ସାଲେପୁର : କେନାଲ ପାଣିରେ ବୁଡ଼ି ପ୍ରାଣ ହରାଇଲେ ଯୁବକ । କେନାଲ ବନ୍ଧ ରାସ୍ତାରେ ଯିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ । ମୃତ ଯୁବକ ଜଣକ ସୁକାନ୍ତ କୁରାର ସେଠୀ (୨୪) ବୋଲି ଜଣାପଡ଼ିଛି । ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ଅଧିନସ୍ଥ ବାହାବଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣାଘଟିଛି । ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୯ଟା ସମୟରେ ସୁକାନ୍ତଙ୍କ ଭାଇ ଚାଷ କାମ କରୁଥିଲେ । ଏହି ସମୟରେ ସୁକାନ୍ତ ତାଙ୍କ ଭାଇଙ୍କୁ ଜଳଖିଆ ଦେବାକୁ ବିଲକୁ ଯାଇଥିଲେ । ଭାଇଙ୍କୁ ଜଳଖିଆ ଦେଇ ସେ ତାଙ୍କର ସାଇକେଲ ଯୋଗେ ଏକ କେନାଲ ବନ୍ଧ ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ସାଇକେଲ ସହ କେନାଲ ମଧ୍ୟକୁ ଖସି ପଡ଼ି ନିଖୋଜ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କେନାଲ ଭିତରେ ପଶି ତାଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ଖୋଜିବା ପରେ ସୁକାନ୍ତଙ୍କୁ କେନାଲ ପାଣି ମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପଇଁ ସାଲେପୁର ମେଡିକାଲକୁ ଆଣିଥିଲେ ସ୍ଥାନୀୟ ଲୋକେ । ସେଠାରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଲୋକେ ଘଟଣା ବିଷୟରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ସୂଚନାନୁସାରେ, ମୃତକ ସୁକାନ୍ତ ପୂର୍ବରୁ ବାତ ରୋଗରେ ଆକ୍ରାନ୍ତ ଥିଲେ । ବାଟରେ ଆସୁଥିବା ବେଳେ ତାଙ୍କୁ ବାତ ମାରିବାରୁ ସେ କେନାଲରେ ଖସିପଡ଼ିଥିବା ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.