jayashree

ଖପ୍ରାଖୋଲରେ ବ୍ୟାପୁଛି ଥଣ୍ଡା, କାଶ, ଜ୍ୱର : ୧୫୩ ଜଣ ସଂକ୍ରମିତ ଚିହ୍ନଟ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଏହାକୁ ନେଇ ଜନସାଧାରଣ ଆଶ୍ୱସ୍ତ ହେଉଛନ୍ତି । ମାତ୍ର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସଂକ୍ରମଣ ହାର ସ୍ଥିର ରହିଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥଣ୍ଡା, କାଶ, ଜ୍ୱର ବ୍ୟାପୁଥିବା ବେଳେ ବହୁଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଗତ ସାତଦିନ ଭିତରେ ପଚାଶ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ଥଣ୍ଡା, କାଶ, ଜ୍ୱରରେ ଆକ୍ରାନ୍ତ ରୋଗୀମାନେ ଡାକ୍ତରଖାନାକୁ ଆସି ପରୀକ୍ଷା କରିବାକୁ ଡରୁଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ୪୦ ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯିବା ସହ ଆର୍‌ଟିପିସିଆର୍‌ ପରୀକ୍ଷା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୮୯ ଜଣ ସକ୍ରିୟ ରୋଗୀ ଅଛନ୍ତି । ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ସାତଦିନ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯିବା ସହ ଡାକ୍ତରଖାନା ପକ୍ଷରୁ ଔଷଧ ପ୍ରଦାନ କରାଯାଉଛି । କୌଣସି ରୋଗୀର ଯେପରି ମୃତ୍ୟୁ ନହେବ ସେଥିପାଇଁ ଡାକ୍ତରଖାନା ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୁରଜ ଦୀପ ପ୍ରକାଶ କରିଛନ୍ତି । ଏଥିପାଇଁ ଆଶା ଓ ଏଏନ୍‌ଏମ୍‌ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ଯଦି କୌଣସିଠାରେ ରୋଗୀର ଜଟିଳ ଲକ୍ଷଣ ପ୍ରକାଶ ପାଏ ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଥିବା ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.