om academy

ମହିଳା ସାମୁକ୍ଷ୍ୟ ଫାର୍‌ମର୍ସ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ସଜନା ବ୍ୟବସାୟ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମରୁ ଏପିସି ପ୍ରୋଜେକ୍ଟ ଦ୍ୱାରା ପରିଚାଳିତ ଉତ୍ପାଦକ ଗୋଷ୍ଠୀର ସଭ୍ୟାଙ୍କଠାରୁ ସଜନାଛୁଇଁ ଉଚିତ୍ ମୂଲ୍ୟରେ କ୍ରୟ କରି ମହିଳା ସାମୁକ୍ଷ୍ୟ ଫାର୍‌ମର୍ସ ପ୍ରଡ୍ୟୁସର କମ୍ପାନୀ ବିଭିନ୍ନ ସ୍ଥାନକୁ ରପ୍ତାନୀ କରିଛି । ବଙ୍ଗୋମୁଣ୍ଡା ଅଂଚଳର ସଜନାଛୁଇଁର ସ୍ୱତନ୍ତ୍ର ରଂଗ ଓ ସ୍ୱାଦ ଯୋଗୁ ବଜାରରେ ଯଥେଷ୍ଟ ଚାହିଦା ରହିଛି । ପ୍ରଥମେ ସଜନା ଚାଷୀଙ୍କଠାରୁ ଖୁଚୁରା ବ୍ୟବସାୟୀମାନେ ଗଛକୁ ଦେଖି ମୂଲଚାଲ କରି ଦର ନିର୍ଦ୍ଧାରଣ କରି ଅଗ୍ରୀମ ଦେଉଥିବା ଯୋଗୁ ଚାଷୀ ଅଧିକ ଶୋଷଣର ଶିକାର ହେଉଥିଲେ । ବର୍ତ୍ତମାନ ସଠିକ୍ ଓଜନ କରି ବିକ୍ରି କରାଯାଉଥିବା ଓ ଏପିସି ପ୍ରୋଜେକ୍ଟର ଷ୍ଟାଫ୍‌ଙ୍କ ନିୟମିତ ଯୋଗାଯୋଗ ଯୋଗୁ ଚାଷୀ ଉପକୃତ ହେଉଥିବା କଥା କହନ୍ତି ମହିଳା ଚାଷୀ ଶ୍ରୀମତୀ କାନ୍ତିଲତା ଭୋଇ । ପ୍ରକାଶ ଥାଉ କି ବଙ୍ଗୋମୁଣ୍ଡା ଅଂଚଳରେ ବାର୍ଷିକ ହାରାହାରି ୫୦୦ କ୍ୱିଣ୍ଟାଲରୁ ଅଧିକ ସଜନାଛୁଇଁ ଉତ୍ପାଦନ ହେଉଥିବାର ଜଣାଯାଏ । ଛୁଇଁ ସଂଗ୍ରହ କରି ସାରିଲା ପରେ ଗଛର ଡାଳକୁ କାଟି ଅନ୍ୟତ୍ର ଲଗାଯାଇ ଥାଏ । ଯାହା କି ବର୍ଷେ ପରେ ଫଳ ଆସିବା ଆରମ୍ଭ ହୋଇଥାଏ । ବଙ୍ଗୋମୁଣ୍ଡା ବ୍ଲକର ଭୁର୍ଷାଗୁଡା ପଂଚାୟତର ଟିଟିସିଲେଟ, ଗନ୍ଧର୍ଲା ପଂଚାୟତର ବରକାନୀ, ବଠର୍ଲା, କାଲକୁଟ, ଦେଢଗାଁ ପଂଚାୟତର ବାଗବାହାଲ ଓ ବେଲପଡା ପଂଚାୟତର ଫୁଗୁଡା ଗ୍ରାମରେ ଚାଷ କରାଯାଉଥିବା ସଂଗେ ସଂଗେ ଅନ୍ୟାନ୍ୟ ଗ୍ରାମ ଗୁଡିକରେ ମଧ୍ୟ ଚାଷୀ ସଜନାଛୁଇଁ ବିକ୍ରି କରି ଅର୍ଥ ରୋଜଗାର କରୁଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.