ବାଲିଗୁଡ଼ାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶାର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି । ସେଥି ମଧ୍ୟରେ ଖୋଦ ବାଲିଗୁଡାଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡା ଏବଂ ସମ୍ବଲପୁର ଭଳି ବିଭିନ୍ନ ସହରକୁ ଯିବା ଆସିବା କରିବା ପାଇଁ ସିଧା ସଳଖ ଗମନାଗମନର କୌଣସି ସୁବିଧା ନାହିଁ । ଛାତ୍ରଛାତ୍ରୀ ମାନେ ରାଉରକେଲା ନିଟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ଏବଂ ଏଠାରେ ବସବାସ କରୁଥିବା ଉକ୍ତ ଅଞ୍ଚଳର ଜନସାଧାରଣ ତଥା ବାସିନ୍ଦା ମାନେ ବାଲିଗୁଡା ଅଞ୍ଚଳରୁ ଯିବା ଆସିବା କରି ପାଠ ପଢିବା ସହ ଯାତାୟାତରେ ଘୋର ବ୍ୟାହତ ସୃଷ୍ଟି ହେଉଛି । ବିଶେଷ କରି ଏଠାରୁ ଗରିବ ହରିଜନ ଆଦିବାସୀ ଭାଇଭଉଣୀ ମାନେ ଜରୁରୀ କାଳୀନ ସମୟରେ ବୁର୍ଲା ମେଡିକାଲକୁ କୌଣସି ରୋଗୀକୁ ନେଇ ଚିକିତ୍ସା କରିବା ମଧ୍ୟ ସମ୍ଭବପର ହେଉନି । ଏହି ସବୁ ଅସୁବିଧା ନେଇ ସର୍ବସାଧାରଣଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଲାଣି । ବର୍ତ୍ତମାନ ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ରେଳଗାଡ଼ି ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା କରିବା ସହ ବର୍ତ୍ତମାନ ମଧ୍ୟ ଲଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡାର ବଣ ଜଙ୍ଗଲ ପାହାଡ଼ ତଳେ ବସବାସ କରୁଥିବା ଆଦିବାସୀ ହରିଜନ ତଥା ସାଧାରଣ ଜନତାଙ୍କ ପ୍ରତି ଏ ସବୁ କ୍ଷେତ୍ରରେ ଅବହେଳା କାହିଁକି କରୁଛନ୍ତି । ଆଦିବାସୀ ମାନଙ୍କ ଉନ୍ନତି ଚାଲିଛି ବୋଲି ମିଛ ପ୍ରତିଶୃତି ଦେଇ କାହିଁକି ବାଜା ପିଟୁଛନ୍ତି ବୋଲି ଅଞ୍ଚଳର ଜୈନକ ଯାତ୍ରୀ ସନ୍ୟାସୀ ନାୟକ ଅତି ଦୁଃଖର ସହ ପ୍ରକାଶ କରିଛନ୍ତି । ସେ ଯାହା ବି ହେଉ ଏହି ବାଲିଗୁଡ଼ାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ସବୁ ବର୍ଗର ଜନସାଧାରଣ ବସବାସ କରନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସ୍ଥାନୀୟ ଜନ ପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଦେଇ ଖୋଦ ବାଲିଗୁଡାଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଗୁଡିକୁ ଦିନରେ ଓ ରାତିରେ ଦୁଇଟି ବସ ନିୟମିତ ଚଳାଚଳ ବ୍ୟବସ୍ଥା କରାଇଦେଲେ ସ୍ଥାନୀୟ ଜନସାଧାରଣଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟର ସମସ୍ତ ପ୍ରକାର ଉନ୍ନତି ହେବା ସଙ୍ଗେସଙ୍ଗେ ଅଞ୍ଚଳ ବାସୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.