କରାଟେ ପ୍ରଶିକ୍ଷକଙ୍କ ବୃକ୍ଷରୋପଣ ନିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଇକଣ୍ଡୋ କୋଚ୍‌ ତଥା ପରିବେଶ ପ୍ରେମୀ ଅସୀମ କୁମାର ଭୋଇ ବ୍ୟକ୍ତିଗତ ଉଦ୍ୟମରେ ଆଜି ସ୍କୁଲ ପରିସରେ ୩୩ଟି ଚାରା ବୃକ୍ଷରୋପଣ କରିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନର ସହଯୋଗ ହେଲେ ସାମାଜିକ କର୍ମୀ ଅସୀମ ଭୋଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିପାରିବେ ବୋଲି କହିଛନ୍ତି । ଜଣେ ଦକ୍ଷ କରାଟେ ଟାଇକଣ୍ଡୋ କୋଚ୍‌ ତଥା ଆତ୍ମରକ୍ଷା ପ୍ରଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କୁ ତିନି ଦଶନ୍ଧି ଧରି ପ୍ରଶିକ୍ଷଣ ଦେଇ ଆସୁଥିବା ବେଳେ ଆଜିର ଦିନରେ ବୃକ୍ଷରୋପଣ ତାଙ୍କର ଏକ ନିଶାରେ ପରିଣତ ହୋଇଛି । ଶ୍ରୀ ଭୋଇ ନିଜ ବ୍ୟକ୍ତିଗତ ଉଦ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭୀମ ଭୋଇ ହସପିଟାଲ, ଚିଲଡ୍ରେନ ପାର୍କ, ଜୋଗର୍ସ ପାର୍କ, ମିଶନ ହାଇସ୍କୁଲ ପଡିଆ, ବାଇପାସ ରୋଡ, ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ପ୍ରତ୍ୟେହ କିଛି ନା କିଛି ବୃକ୍ଷରୋପଣ କରୁଥିବା ଦେଖିବାକୁ ମିଳିଛି । ପରିବେଶ ପ୍ରେମୀ ତଥା ଯୁବ ସମାଜସେବୀ ଶ୍ରୀ ଭୋଇଙ୍କ ଏଭଳି ନିରନ୍ତର ପ୍ରୟାସ ଅନ୍ୟମାନଙ୍କ ପ୍ରତି ଆଗାମୀ ଦିନରେ ଉଦାହରଣ ସାଜିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରକାଶ ଥାଉ କି ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅଟନ୍ତି ଅସୀମ ।

Leave A Reply

Your email address will not be published.