jayashree

ଜନ୍ମାଷ୍ଟମୀରେ ରମ୍ଭା ଗାୟତ୍ରୀ ଶକ୍ତିପୀଠ ତରଫରୁ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ଆହ୍ୱାନ କ୍ରମେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ଗାୟତ୍ରୀ ଶକ୍ତିପୀଠ ରମ୍ଭା ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ପରିସର, ଗାୟତ୍ରୀ ଶକ୍ତିପୀଠ ପରିସର ଏବଂ ପ୍ରାଣୀ ଚିକିତ୍ସାଳୟ ପରିସରରେ ଦୁଇ ଶହରୁ ଅଧିକ ଚାରା ରୋପଣ କରାଯାଇଛି । ବିଳମ୍ବିତ ବର୍ଷାଜନିତ କାରଣରୁ ପବିତ୍ର ଜନ୍ମାଷ୍ଟମୀରେ ସମଗ୍ର ଭାରତ ବର୍ଷରେ ଏକ ସମୟରେ ଗାୟତ୍ରୀ ପରିବାର ତରଫରୁ ଗୁରୁଧାମ ଶାନ୍ତିକୁଞ୍ଜ ହରିଦ୍ୱାରର ଆହ୍ୱାନ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଜୀବଜଗତରେ ସବୁଜମୟ ପରିବେଶ ଓ ବିଶୁଦ୍ଧ ଅମ୍ଳଜାନର ଆବଶ୍ୟକତା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ଭର୍‌ଚୁଆଲ୍‌ ଗୁଗଲ୍‌ମିଟ୍‌ ମାଧ୍ୟମରେ ଯୋଡିହୋଇ ଶାନ୍ତିକୁଞ୍ଜ ମୁଖ୍ୟ ପ୍ରଣବ ପାଣ୍ଡ୍ୟା ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବକ ପବିତ୍ର ଜନ୍ମାଷ୍ଟମୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ପରିଜନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂସାରର ମଙ୍ଗଳ ପାଇଁ ଆଜିର ବୃକ୍ଷ ରୋପଣ ଧେୟ ହେଉ ବୋଲି ବାର୍ତ୍ତା ଦେଇଥିଲେ । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପରିବ୍ରାଜକ ଧରମ ଦାସଙ୍କ ବେଦମନ୍ତ୍ର ଧ୍ୱନିରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶକ୍ତିପୀଠ ଟ୍ରଷ୍ଟି ଉମାକାନ୍ତ ସାହୁ, ରମ୍ଭା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଶେଷଦେବ ବେହେରା, ଯୋଗଗୁର ରବୀନ୍ଦ୍ର ବେହେରା, ଦଳିତ ସମ୍ପ୍ରଦାୟ ନେତା ଭୀମସେନ ବେହେରା ଯୋଗଦେଇ କରୋନା କାଳରେ ବୃକ୍ଷ ରୋପଣ ପାଇଁ ରମ୍ଭା ଗାୟତ୍ରୀ ଶକ୍ତିପୀଠ ତରଫରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ବୃକ୍ଷ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ନିରଞ୍ଜନ ବେହେରା, ଭୁବନେଶ୍ୱର ସ୍ଥିତ ପ୍ରାଣୀ ଚିକିତ୍ସା ପ୍ରାଇଭେଟ କଂପାନୀ ପରିଚାଳକ ମୋପେଟ କୁମାର ଦାସ ଏବଂ ଯାନ୍ତ୍ରିକ ନିର୍ବାହୀ ନାରାୟଣ ବେହେରା, ଶିଶୁପାଳ ବେହେରା, ରଘୁନାଥ ମହାପାତ୍ର, ବିପିନ ବିହାରୀ ଗୌଡ଼, ଉମାକାନ୍ତ ସାହୁ, ସନ୍ତୋଷ ମହାପାତ୍ର, ଲମ୍ବୋଦର ମହାନ୍ତି, ଉପେନ୍ଦ୍ର ବେହେରା, ଜାଗିଲି ପ୍ରଧାନ ଯୋଗଦେଇ ବେଲ, ଅଁଳା, ପିଜୁଳି, ଅଶୋକ, କାଞ୍ଚନ, ଲେମ୍ବୁ, ପିସ୍ତାବାଦାମ, ଶ୍ୱେତ ଅରଖ, ଆକାଶିଆ, ଡାଳିମ୍ବ ଆଦି ଚାରାମାନ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଅଶୋକ କୁମାର ତ୍ରିପାଠୀ, ସିଲୁ ବିଶ୍ୱାଳ, ମିଥୁନ ବାରିକ, ନୀଳାଞ୍ଚଳ ସେନାପତି, ବନବାସୀ ସେଠୀ ଯୋଗଦେଇ ବୃକ୍ଷ ରୋପଣ ହେଉଛି ଆଜିର ଦିନରେ ବିଶ୍ଵ ବସୁନ୍ଧରା ପାଇଁ ମନୁଷ୍ୟର ପ୍ରକୃତ ଓ ପ୍ରଧାନ କର୍ତ୍ତବ୍ୟ ବୋଲି କହିଥିଲେ ।

Leave A Reply

Your email address will not be published.