oom

ଟିଟିଲାଗଡ଼ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ପୌର ପରିଷଦ ନିରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଜନ ସଂଖ୍ୟା ବଢ଼ିବା ସହିତ ସହରର ହାଟପଦାପଡ଼ା ଦୈନିକ ବଜାର, ଥାନା ଛକ ସମ୍ମୁଖରେ, ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକଠାରେ, ବ୍ୟାଙ୍କ ଛକଠାରେ ବୁଲା ଗାଈଗୋରୁ ନିଜର ଘର ସଦୃଶ ବିଚ୍‌ ରାସ୍ତା ଉପରେ ଶୋଇଥିବା ଦେଖିବାକୁ ମିଳୁଛି । ସେହିପରି ପ୍ରତିଦିନ ଷଣ୍ଢ ଲଢେଇ ମଧ୍ୟ ଦେଖିବାକୁ ମିଳୁଛି । କେତେବେଳେ କେଉଁ ଲୋକ ଏହି ଷଣ୍ଢ ଲଢେଇର ଶିକାର ମଧ୍ୟ ହେଉଛନ୍ତି । ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ଏମାନଙ୍କ ଦୌରାତ୍ମ୍ୟରୁ ବର୍ତ୍ତି ପାରୁ ନାହାନ୍ତି । ରାସ୍ତା କଡ଼ରେ, ଘର ସାଇଡରେ ଥିବା ବାଇକ୍ ଗାଈଗୋରୁଙ୍କ ଯୋଗୁଁ ପଡିବା ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି ।

ଦୁଃଖର ବିଷୟ ପୌର ପରିଷଦ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହୁଛି, କିଏ ବୁଝିବ ଲୋକଙ୍କ ଏହି ଦୁଃଖର କଥା ? ଏଥିପାଇଁ ପ୍ରଶାସନ ପକ୍ଷରୁ କିଛି ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । ଗୃହପାଳିତ ପଶୁମାନଙ୍କୁ ରାସ୍ତା ଉପରେ ବୁଲିବା ଦେଖି ଟିଟିଲାଗଡ ପୌର ପରିଷଦର ପାରିବା ପଣିଆ ଉପରେ ଲୋକ ପ୍ରଶ୍ନ ଉଠାଉଛନ୍ତି । କିଛି ମାସ ପୂର୍ବରୁ ପୌର ପରିଷଦ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇ ଗୋରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଥିଲେ । ତାହା କେବଳ ଘୋଷଣା ଏବଂ ବୈଠକରେ ହିଁ ସୀମିତ ରହିଗଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସହରର ଏହି ସବୁ ରାସ୍ତା ଦେଇ ନେତା, ମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ଜନ ପ୍ରତିନିଧି ସମସ୍ତେ ଯାଉଥିବା ବେଳେ ସେମାନେ ମଧ୍ୟ ଚୁପ୍‌ ରହିବା କାରଣ କ’ଣ, ଏମାନଙ୍କୁ କ’ଣ ଦିଶୁନି କି ବୋଲି ଚା’ ଖଟିରେ ଚର୍ଚ୍ଚା ହେଉଛି । ଭଗବାନ ନ କରୁ ଯଦି କାହାର ଯଦି କିଛି ଅଘଟଣ ଘଟେ ତାହାର ଭରଣା ଦେଇ ପାରିବେ କି ? ସେଥିପାଇଁ ଦାୟୀ କିଏ ରହିବ ? ଜବାବ ମାଗୁଛନ୍ତି ଟିଟିଲାଗଡ଼ ସହରବାସୀ । ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.