ବିଧବା ମହିଳାଙ୍କୁ ଗର୍ଭବତୀ କରି ଜେଲ୍‌ ଗଲେ ୬୩ ବର୍ଷୀୟ ବୃଦ୍ଧ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମରେ ଜୈନିକ ବିଧବା(୩୨) ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ଅଭିଯୋଗରେ ଜଣେ ୬୩ ବର୍ଷୀୟ ବୃଦ୍ଧ ଜେଲ୍‌ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଅଭିଯୁକ୍ତ ବୃଦ୍ଧ ଜଣକ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି ଗ୍ରାମର ପବିତ୍ର ଶଗଡିଆ(୬୩) ବୋଲି ଜଣାପଡିଛି ।

ଅଭିଯୋଗ ଅନୁସାରେ ଘୁଚାପାଲି ଗାଁର ଜୈନିକ ବିଧବା ମହିଳାଙ୍କୁ ଅଭିଯୁକ୍ତ ବୃଦ୍ଧ ଜଣକ ବିବାହର ପ୍ରତିଶୃତି ଦେଇ ଦୀର୍ଘ ଦିନ ହେଲା ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ବିଧବା ମହିଳା ୬ ମାସର ଗର୍ଭବତୀ ହୋଇଥିବା ବେଳେ ବୃଦ୍ଧ ଜଣକ ବିବାହ କରିବାକୁ ମନା କରି ଦେଇଥିଲେ । ଏହି ପରିସ୍ଥିତିରେ ମହିଳା ଜଣକ ନ୍ୟାୟ ଆଶାରେ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ମହିଳାଙ୍କ ଅଭିଯୋଗକୁ ଭିର୍ତ୍ତି କରି ଖପ୍ରାଖୋଲ ଥାନା କେସ ନଂ ୫୪/୨୦୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପବିତ୍ର ଶଗଡିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.