oum

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ଖଟିଆରେ ବୁହା ହେଲେ ବୃଦ୍ଧା

jsm

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାକୁ ୭୫ ବର୍ଷ ପୂରିଛି । ବିକାଶ କ୍ଷେତ୍ରରେ ବାଃ ବାଃ ନେଉଛନ୍ତି ସରକାର । ହେଲେ ତୃଣମୂଳସ୍ତରରେ ବିକାଶର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ୮୦ ବର୍ଷୀୟ ବୃଦ୍ଧା । ନୂଆପଡା ଜିଲ୍ଲା ବ୍ରାହ୍ମଣପଡା ଗାଁରେ ସ୍ୱାସ୍ଥ୍ୟସେବାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବ୍ରାହ୍ମଣପଡା ଗ୍ରାମର ୮୦ ବର୍ଷୀୟା ବୃଦ୍ଧା ସପୁରୀ ମାଝୀ ବାତ ରୋଗରେ ପୀଡିତ । ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ସମ୍ପର୍କିୟ ଫୋନ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଆସି ବେଳରୁଣୀପଡାଠାରୁ ଦୀର୍ଘ ୨ କିଲୋମିଟର ଦୂରତା ବ୍ରାହ୍ମଣପଡାଠାରେ ଅଟକି ଯାଇଥିଲା । ଯାହାଫଳରେ ବୃଦ୍ଧାଙ୍କୁ ସମ୍ପର୍କିୟ ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ଦୀର୍ଘ ୪ରୁ ୫ ଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଥିଲେ ବୃଦ୍ଧା । ସରକାର ଗ୍ରାମାଞ୍ଚଳର ବିକାଶ ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇଛନ୍ତି । ଲୋକେ ପକ୍କା ରାସ୍ତା ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଫଳରେ କାଦୁଅ ପଚପଚ ରାସ୍ତାରେ ବିପଦଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ । ଏହି ଘଟଣାକୁ ନେଇ ବିଜେପି ନେତା କହିଛନ୍ତି, ‘ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯାଉ । ନଚେତ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ।’ ଅପରପକ୍ଷେ ଏସମ୍ପର୍କରେ ସିନାପାଲି ବ୍ଲକ ଉପାଧ୍ୟକ୍ଷଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ଅବଗତ କରି ରାସ୍ତା ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.