ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ତଥା ଦୀର୍ଘ ବର୍ଷର ଦାବୀ ପୂରଣ ହୋଇ ସାରିଛି । ରେଳବାଇ ଓଭର ବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମାର୍ଚ୍ଚ ୧୦ ତାରିଖରେ ଭର୍ଚୁଆଲ ଉଦ୍ଘାଟନ ମଧ୍ୟ ସରିଛି । ଉଦ୍ଘାଟନ ସରିବା ମାତ୍ରେ ଟିଟିଲାଗଡର ଜନସାଧାରଣ ଓ ଟିଟିଲାଗଡ ମଧ୍ୟ ଦେଇ ଯାଉଥିବା ଯାତ୍ରୀ, ଯାନବାହାନଙ୍କ ବ୍ୟବହାର ନିମନ୍ତେ ଖୋଲା ରହିଛି । ଲୋକେ ଚଳାଚଳ ମଧ୍ୟ କରୁଛନ୍ତି । ଉଦ୍ଘାଟନକୁ ପ୍ରାୟ ତିନିମାସରୁ ଉର୍ଦ୍ଧ ହୋଇସାରିଛି । ବ୍ରିଜ ଉପରେ ଜମା ହେଲାଣି ବାଲି ଓ ମାଟି । ଗାଡି ଗଡିଲେ ଉଠୁଛି ଧୁଆଁ । ବ୍ରେକ ମାରିଲେ ଚକ ଖସୁଛି । ଏ ନେଇ ବ୍ରିଜ ନିର୍ମାଣ କରିଥିବା ଠିକା ସଂସ୍ଥା ରାଜଲକ୍ଷ୍ମୀ କନଷ୍ଟ୍ରକ୍ସନର ଯନ୍ତ୍ରୀ ଅଭିଷେକଙ୍କୁ ପଚରାଯାଇଥିଲା । ଏହି ବାଲି ମାଟି କାହିଁକି ସଫା କରାଯାଉ ନାହିଁ । ସେ ଉତ୍ତରରେ କହିଥିଲେ ଏହି ବ୍ରିଜ ବର୍ତ୍ତମାନ ଟିଟିଲାଗଡ ପ୍ରଶାସନ ତଥା ପିଡବ୍ଲୁଡ଼ିକୁ ହସ୍ତାନ୍ତର କରାଗଲାଣି । ବ୍ରିଜକୁ ସଫା ରଖିବା ତଥା ସୋନ୍ଦର୍ୟ୍ୟକରଣ କରିବା ତାହା ଟିଟିଲାଗଡ ପୌର ପରିଷଦର ଦାୟିତ୍ଵ । ବ୍ରିଜର ଉଦ୍ଘାଟନ ସରିବା ପରେ ଆଜି ପର୍ୟ୍ୟନ୍ତ ତାହା ଥରେ ମଧ୍ୟ ସଫା ନ ହେବା ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଟିଟିଲାଗଡ ପୌର ପରିଷଦକୁ ବ୍ରିଜ ଉପରେ ଥିବା ବାଲି ମାଟି ସଫା କରିବା ସହ ବ୍ରିଜ ଉପରେ ଧୂଳି ନ ଉଡ଼ିବା ପାଇଁ ପାଣି ଛିଞ୍ଚନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
Next Post