jayashree

ରାଷ୍ଟ୍ରପତିଙ୍କୁ ସାହିତ୍ୟ ଏକାଡେମୀ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ପୁସ୍ତକ ପ୍ରଦାନ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ଓଡ଼ିଆ ନିବନ୍ଧ ସଂକଳନ ‘ଗାଁ ମଜଲିସ’ର ଇଂରାଜୀ ଓ ହିନ୍ଦୀ ଅନୁବାଦର ପ୍ରଥମ କପି ତଥା ଜୀବନୀ ପୁସ୍ତକର ନୂତନ ସଂସ୍କରଣ ପ୍ରଦାନ କରାଯାଇଥିଲା । ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଗାଁ ମଜଲିସ – ତୃତୀୟ ଭାଗ’ର ଇଂରାଜୀ ଅନୁବାଦ କରିଛନ୍ତି ତରୁଣ କୁମାର ସାହୁ ଏବଂ ହିନ୍ଦୀ ଅନୁବାଦ କରିଛନ୍ତି ସୁଜାତା ଶିବେନ । ହରେକୃଷ୍ଣ ମହତାବଙ୍କ ଜୀବନୀ ରଚନା କରିଛନ୍ତି ପ୍ରଫେସର ବୈଷ୍ଣବ ଚରଣ ସାମଲ । ଏହି ଅବସରରେ ସାହିତ୍ୟ ଏକାଡେମୀ ପକ୍ଷରୁ ହରେକୃଷ୍ଣ ମହତାବଙ୍କ ରଚିତ ପୁସ୍ତକ ଗୁଡ଼ିକର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ମାନନୀୟା ରାଷ୍ଟ୍ରପତି ଏହି ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କୁ ପୁସ୍ତକ ଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ । ରାଷ୍ଟ୍ରପତିଙ୍କ ପରିଦର୍ଶନ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କଟକର ସାଂଦଦ ତଥା ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ । ସମାରୋହରେ ମାନନୀୟା ରାଷ୍ଟ୍ରପତି ବକ୍ତବ୍ୟ ପ୍ରଦାନ କରିବା ପୂର୍ବକ ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ଏକ ଡାକଟିକଟ ଉନ୍ମୋଚନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଜିର ଯୁବ ପିଢ଼ି ନବଓଡ଼ିଶାର ନିର୍ମାତା ହରେକୃଷ୍ଣ ମହତାବଙ୍କ ରଚିତ ପୁସ୍ତକମାନ ପଢ଼ିବା ଜରୁରୀ ଏବଂ ଏ ଦିଗରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ସହାୟକ ହେବ ।

Leave A Reply

Your email address will not be published.