ବାଟବଣା ହାତୀ ଶାବକକୁ କାବୁ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେଷରେ କାବୁ ହେଲା ବାଟବଣା ହାତୀ ଶାବକ । ଗତକାଲି ଠାରୁ ଦେଓଗାଁ ରେଞ୍ଜ୍ ଅନ୍ତର୍ଗତ ସାଲେପାଲି ଗାଁ ରାସ୍ତାର କୃଷ୍ଣମୁହାଣ ସେତୁ ନିକଟରେ ଆତଙ୍କ ସୃଷ୍ଟି କରିଥିଲା ହାତୀ ଶାବକ । ସଇଁତଲା ସମରା ରାସ୍ତା ଦେଇ ଜରାସିଂହା – ସାଲେପାଲି ଗାଁ ନିକଟରେ ପହଂଚିଥିଲା ଗୋଠଛଡା ହାତୀ ଶାବକ । ଗତକାଲି ଦିନ ତମାମ୍‌ ବନବିଭାଗ ହାତୀକୁ କାବୁ କରିବା ପାଇଁ ଜାଲ ବିଛାଇଥିଲା । କିନ୍ତୁ ହାତୀ ଶାବକକୁ କାବୁ କରିପାରି ନଥିଲେ । ହାତୀ ଶାବକକୁ କାବୁ କରିବା ପାଇଁ ବଲାଙ୍ଗିର ଡିଏଫଓ ସୁଦର୍ଶନ ବେହେରାଙ୍କ ନେତୃତ୍ୱରେ ଦେଓଗାଁ, ବଲାଙ୍ଗିର ଓ ସଇଁତଲା ରେଞ୍ଜ ଅଧିକାରୀଙ୍କ ସମେତ ୫୦ରୁ ଅଧିକ ବନ ବିଭାଗ କର୍ମଚାରୀ ଏକ ଟିମ୍‌ ଗଠନ କରି ଲାଗିପଡ଼ିଥିଲେ । ୧୨ ଜଣିଆ ଏଲିଫ୍ୟାଂଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ମଧ୍ୟ ସାମିଲ ହୋଇଥିଲେ ଟିମ୍‌ରେ । ରେସ୍କୁ ଟିମ୍‌ରେ ୪ ଜଣିଆ ପଶୁ ବିଶେଷଜ୍ଞ ଡାକ୍ତର ରହିଥିବା ବେଳେ ଟ୍ରାଙ୍କୁଲାଇଜର୍‌ ସାହାଯ୍ୟରେ ହାତୀ ଛୁଆକୁ କାବୁ କରାଯାଇଥିଲା । ହାତୀ ଚେତାଶୁନ୍ୟ ହେବା ପରେ ତାକୁ କାବୁ କରି ବଲାଙ୍ଗିରକୁ ଆଣି ଚିକିତ୍ସା ଆରମ୍ଭ କରିଛି ବନ ବିଭାଗ । ଗତ କିଛିଦିନ ହେଲା ଦେଓଗାଁ ରେଞ୍ଜ ଅଂଚଳକୁ ୧୨ଟିକିଆ ହାତୀପଲ ଆସିଥିଲେ । ୧୨ ଟିକିଆ ହାତୀପଲରେ ୪ଟି ଶାବକ ଥିଲେ । ତେବେ ଗୋଟିଏ ହାତୀ ଶାବକ ଅଲଗା ହୋଇ ଏଣେତେଣେ ବୁଲୁ ବୁଲୁ ବାଟବଣା ହୋଇଯାଇଥିଲା । ଏକା ହୋଇଯିବା ପରେ ଭୟରେ କିଛି ଲୋକଙ୍କୁ ଆକ୍ରମଣ କରିଥିଲା । ତେବେ ଲୋକେ ଘଉଡାଇବା ପରେ ଶାବକଟି କୃଷ୍ଣମୁହାଣ ସେତୁ ନିକଟରେ ଫଶି ରହିଥିଲା । ଉଦ୍ଧାର ପରେ ହାତୀ ଶାବକର ଚିକିତ୍ସା କରାଯାଇଛି । ବର୍ତ୍ତମାନ ହାତୀ ଶାବକଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର ହିମାଂଶୁ ଶେଖର ବେହେରା ।

Leave A Reply

Your email address will not be published.