ବ୍ଲକ ସ୍ତରୀୟ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କରୋନା ମହାମାରୀ ପରିସ୍ଥିତିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମ କ୍ରମେ ନିରନ୍ତର ଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ନିଶାମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକ, ଉତ୍ସର୍ଗୀକୃତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ସାଧନ କର୍ମୀ ମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିରନ୍ତର ଶିକ୍ଷଣର ଉପାଦେୟତା, ଶିକ୍ଷକ ତଥା ଶିକ୍ଷିକା ମାନଙ୍କର ସକାରାତ୍ମକ ମନୋଭାବ ସହ ସକ୍ରିୟ ଅଂଶଗ୍ରହଣ, ଘରକୁ ଘର ବୁଲି ପ୍ରାଥମିକ ଶିକ୍ଷାର ପ୍ରସାର, ଏହି ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀମତୀ ଭୋଇ ଓ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୀମତୀ ବବିତା ସାହୁ ଦିଗଦର୍ଶନ ଦେଇଥିଲେ ଓ ସହଯୋଗୀ ମନୋଭାବ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଉତ୍ସାହିତ କରିଥିଲେ । ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.