jayashree

ଟିଟିଲାଗଡରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଉଦ୍‌ଘାଟନୀ ସମାରୋହରେ ମାଁ ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଅତିସୁନ୍ଦର , ମନୋହର ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ସଭାପତିତ୍ୱ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ । ଟିଟିଲାଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଟିଲାଗଡର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ବିଜ୍ଞାନ କମିଟିର ଆବାହକ ପ୍ରବୀର କୁମାର ପଣ୍ଡା ( ପ୍ରଧାନ ଶିକ୍ଷକ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଟିଟିଲାଗଡ) ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ ଓ ବ୍ଲକ ବିଜ୍ଞାନ କମିଟିର ସଂଯୋଜକ ପାର୍ଥ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀର ଆୟୋଜକ (ପ୍ରଧାନ ଶିକ୍ଷକ, ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟ) ଗୋବର୍ଦ୍ଧନ ଭୋଇ ଉପସ୍ଥିତ ଥିଲେ । ସେହିପରି ଉଦ୍‌ଯାପନୀ ସମାରୋହରେ ମଧ୍ୟ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ ଓ କୁନି କୁନି ବୈଜ୍ଞାନିକମାନଙ୍କୁ ବିଭିନ୍ନ ଉଦାହରଣ ସହିତ ଅମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିଲେ । ଟିଟିଲାଗଡ ବିଜ୍ଞାନ କମିଟିର ଆବାହକ ପ୍ରବୀର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆଗେଇଯାଇଥିଲା । ଉକ୍ତ ବିଜ୍ଞାନ ପ୍ରଦର୍ଶନୀରେ ମୋଟ୍ ୧୬୫ରୁ ଅଧିକ ବିଜ୍ଞାନ ପ୍ରକଳ୍ପ ନମୁନା ଉପସ୍ଥାପନ କରାଯାଇଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଠିକ୍ ରୂପେ ପରିଚାଳନା ଏବଂ ସଫଳ ରୂପାୟନ କରିବା ପାଇଁ ମହୁଲ ପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତି ଗୌରୀ ମୁଣ୍ଡାଙ୍କ ସହ ଅନ୍ୟ ୧୩ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଟିଟିଲାଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ମାଝୀ ଉପସ୍ଥିତ ଥିଲେ । ଟିଟିଲାଗଡ ବ୍ଲକ୍ ଏବଂ ପୌର ପରିଷଦ ଅନ୍ତର୍ଗତ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ନମୁନା ଗୁଡ଼ିକର ପ୍ରଦର୍ଶନ କରିଥିଲେ । କୁନିକୁନି ବୈଜ୍ଞାନିକଙ୍କ ପ୍ରତିଭା ଦେଖବାକୁ ଅତି ମନୋହର ଏବଂ ଚିତ୍ତାକର୍ଷକ ଥିଲା । ବିଚାରକ ମଣ୍ଡଳୀରୁ ସମସ୍ତ ବିଚାରପତି ବୁଲି ବୁଲି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ଦେଖିଥିଲେ ଏବଂ ତନଖି କରିଥିଲେ ଓ ମନୋନୀତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ । ଅଂଶୀଦାର ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯିବା ସହିତ ପ୍ରାଥମିକ ସ୍ତରରେ ପ୍ରଥମ ଏବଂ ମାଧ୍ୟମିକ ସ୍ତରରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଭିଭାବକଙ୍କ ମହଲରେ ଆଲୋଚନା ଜୋର ଧରିବା ସହ ଅଭିଭାବକ ଓ ଛାତ୍ରଛାତ୍ରୀ୍ୱାନଙ୍କୁ ଏହି କାର୍ଯ୍ୟକ୍ରମ ବିଶେଷ ମାତ୍ରାରେ ପ୍ରେରିତ କରିଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବ୍ଲକ ବିଜ୍ଞାନ କମିଟି ଆବାହକ, ବ୍ଲକ ବିଜ୍ଞାନ କମିଟି ସଂଯୋଜକ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ସହ ଗୁଲୁମି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.