ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲାର ମଧ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଭିମସାର ବୁର୍ଲାରେ ଏକ୍ମୋ ମେସିନ ଲଗେଇବା ଦାବୀରେ ଆଜି ଭାଜପା ପକ୍ଷରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଡ଼ାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ୍ ଅଭାବ ଯୋଗୁଁ ଲୋକେ ଆବଶ୍ୟକ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାରେ ସରକାରୀ ଭାବେ ୩୦୦ ଜଣ ଡାକ୍ତର ପଦବୀ ଥିବା ବେଳେ ୧୪୮ ଜଣ ଡାକ୍ତର ରହିଛନ୍ତି । ସେହିପରି ପାରା ମେଡିକାଲ ଷ୍ଟାଫ୍ ନଥିବାରୁ ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା ଏବଂ ଡେପୁଟେସନରେ ଅଣାଯାଇ କାର୍ଯ୍ୟ ଚଳାଯାଉଥିବା ଜଣାଯାଏ । ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ, ରବି ନାରାୟଣ ଦାଶ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଗୀତ ଅଗ୍ରୱାଲ, ଅବନୀ ପଣ୍ଡା, ଅକୁର ମଲ୍ଲିକ, କୁଶ କଲେତ ପ୍ରମୁଖ ଉପସ୍ଥିତ ଥିଲେ ।
Next Post