ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୬ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଅଖଣ୍ଡ ସେଠଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ସେ ବଲାଙ୍ଗିର ସହରରେ କଂଗ୍ରେସ ରାଜନୀତିର ଏକ ଜଣାଶୁଣା ଚେହେରା ଥିବା ବେଳେ ପ୍ରାୟ ସମସ୍ତ ବର୍ଗରେ ଲୋକପ୍ରିୟତା ହାସଲ କରିଥିଲେ । ଗତ ରାତିରେ ତାଙ୍କୁ ବୁର୍ଲା ମେଡିକାଲ ନିଆ ଯାଉଥିବା ବେଳେ ଅଧ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିବା ନେଇ ଭାଇ ଅକ୍ଷୟ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ, ରାମନବମୀ ଦିନ ସ୍ୱର୍ଗତ ଅଖଣ୍ଡ ନିଜ ସ୍ତ୍ରୀ ସହ ଲୋଇସିଂହା ଅଭିମୁଖେ ବାହାରିଥିଲେ । ସମ୍ବଲପୁର ରୋଡ଼ ବୁଲେଟ ସୋ’ ରୁମ୍ ପାଖରେ କୌଣସି ଗାଡି ତାଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ହୋଇଥିବା ସ୍ଥଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ଅନ୍ୟ ପଟେ ଅଖଣ୍ଡଙ୍କ କାନ୍ଧ ଓ ଛାତି ହାଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିଲା । କିନ୍ତୁ ଦିନକୁ ଦିନ ଅଖଣ୍ଡଙ୍କ ଅବସ୍ଥା ବିଗିଡିବାକୁ ବସିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲକୁ ନିଆ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ଅକାଳ ବିୟୋଗରେ ସହରବାସୀ ସ୍ତବ୍ଧ ରହିଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମ୍ୟୁନିସିପାଲଟି ଅଧ୍ୟକ୍ଷା ଲିକା ସାହୁ, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଓ କଂଗ୍ରେସ ପରିବାର ପକ୍ଷରୁ ଶୋକ ଓ ପରିବାର ବର୍ଗଙ୍କୁ ସମବେଦନା ପ୍ରକାଶ କରାଯାଇଛି । ତାଙ୍କର ଅମର ଆତ୍ମାର ସମ୍ମାନ ଉଦ୍ଦେଶ୍ୟରେ ୧୬ ନଂ ୱାର୍ଡର ପ୍ରାୟ ସମସ୍ତ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।