ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭୋର ୩ଟା ସମୟରେ କଟକର ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁଗାଁ ସ୍ଥିତ କୁନ୍ଦ୍ରୁଗୁଟୁ ଉଚ୍ଚ ପ୍ରାଥମିକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଆସୁଥିଲେ । ଦୀର୍ଘ ବର୍ଷ ଧରି ସେ କିଡ଼୍ନି ରୋଗରେ ଆକ୍ରାନ୍ତ ଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ ସହ କିଡ଼୍ନି ଡାୟଲେସିସ୍ରେ ଥିଲେ । ଚିକିତ୍ସା ସୁବିଧା ଦୃଷ୍ଟିରୁ ଶ୍ରୀମତୀ ମଲ୍ଲିକଙ୍କ ବର୍ଷେ ହେବ ଭଦ୍ରକ ସ୍ଥିତ ସ୍ୱାମୀଘର ପାଖ ମନ୍ତ୍ର ବାସୁଳୀ ସ୍କୁଲ, ଗୋପନଗର, ତିହିଡ଼ି, ଭଦ୍ରକକୁ ବଦଳି ହୋଇ ଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀମତୀ ମଲ୍ଲିକଙ୍କ ଜନ୍ମସ୍ଥାନ ଓ କର୍ମସ୍ଥାନ ରାଉରକେଲା ଥିଲା ବେଳେ ତାଙ୍କର ସ୍ୱାମୀ ଡଃ. ଅରବିନ୍ଦ ଦାସ ଦୀର୍ଘ ବର୍ଷ ଧରି ରାଉରକେଲାରେ ରାଉରକେଲା କଲେଜ, ସୁଶୀଳାବତୀ ସରକାରୀ ଜୁନିୟର କଲେଜରେ ଅଧ୍ୟାପନା କରି ଆସିଥିଲେ ଏବଂ ବହୁ ସାରସ୍ୱତ ସଂଗଠନ ସହ ଜଡ଼ିତ ରହିବା ସହ ବହୁ ଲୋକପ୍ରିୟତାକୁ ସାଉଁଟି ପାରିଥିଲେ । ଆଜି ଭୋରରୁ ଶ୍ରୀମତୀ ମଲ୍ଲିକଙ୍କ ଅକାଳ ବିୟୋଗ ଖବର ପାଇବା ପରେ ତାଙ୍କର ରାଉରକେଲା ସ୍ଥିତ ପରିବାର, ବନ୍ଧୁ-ବାନ୍ଧବ, ସହକର୍ମୀ ତଥା ଛାତ୍ର-ଛାତ୍ରୀମାନଙ୍କ ଭିତରେ ଗଭୀର ଶୋକର ଛାୟା ଖେଳିଯାଇଛି ।