ପଶ୍ଚିମାଶମ୍ଭୁ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ଶୈବପୀଠ ପଶ୍ଚିମାଶମ୍ଭୁ ନୀଳକଣ୍ଠେଶ୍ଵର ଦେବଙ୍କ ବିଜେସ୍ଥଳୀରେ ୨୭ତମ ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର ଠାରୁ ୪ଦିନ ଧରି ଅନୁଷ୍ଠିତ ହୋଇ ଗୁରୁବାର ଅପରାହ୍ନ ୫ଘଟିକା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ଜଗତର କଲ୍ୟାଣ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ନିମନ୍ତେ ବ୍ରତଧାରୀ ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା, ଜଳ ଯାତ୍ରା, ଶାଳପୂଜା, ସର୍ବ ଦେବାଦେବୀ ଦେବତା ଆବାହନ, ଅଗ୍ନିସ୍ଥାପନ, ଗୋପୂଜା, ସୂର୍ଯ୍ୟପୂଜା, ଗୀତା ଆହୁତି, ମହାରୁଦ୍ରାଭିଷେକ, ମଙ୍ଗଳ ଆଳତୀ, ଠାକୁରଙ୍କ ନୀତିକାନ୍ତି ପୂଜାର୍ଚ୍ଚନା, ପୁରୋହିତ, ପୂଜକ, ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା । ପ୍ରଭୁକୃପା ଲାଭ ପାଇଁ ପ୍ରତ୍ୟେହ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗୁରୁବାର ଅପରାହ୍ନ ୫ଘଟିକାରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି । ଓଁ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ନୀଳକଣ୍ଠେଶ୍ଵର ଦେବ ଯଜ୍ଞ କମିଟି ଏବଂ ଡେଲାଙ୍ଗ ଗ୍ରାମବାସୀ ବୃନ୍ଦ ତରଫରୁ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.