ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍‌) ପକ୍ଷରୁ “ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ ବିଷୟ ଉପରେ ଗୁରୁତ୍ୱ ରଖି ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସ୍ଥିତ ବନ୍ଦର ପରିସରରେ ବିଶ୍ୱ ପରିବେଶ ଦିବସ ୨୦୨୩ ପାଳନ କରାଯାଇ ଏହି ଅଞ୍ଚଳବାସୀଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଗୋପାଳପୁର ବନ୍ଦର ଅଭିନବ ଦୀର୍ଘସ୍ଥାୟୀ ବିକାଶ ଓ ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଅନୁଯାୟୀ ଜୈବ ବିବିଧତାରେ ଉନ୍ନତି, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ପରିବେଶ ଯତ୍ନରେ ଉନ୍ନତି ପାଇଁ ନିଜ ଯାତ୍ରା ଜାରି ରଖିଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ଦର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ଓ କର୍ମଚାରୀମାନେ ଯୋଗଦେଇ ବିଶ୍ୱ ପରିବେଶ ଦିବସ ପାଳନ କରିଥିଲେ । ଏହି ଅବସରରେ ଉପସ୍ଥିତ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଗୋପାଳପୁର ବନ୍ଦରର ସିଇଓ ଜନାର୍ଦ୍ଦନ ରାଓ କହିଛନ୍ତି ଯେ, ପରିବେଶର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜିପିଏଲ୍ ସର୍ବଦା ପ୍ରତିବଦ୍ଧ ରହିଛି । ବନ୍ଦର ପରିଚାଳନା ସହିତ ପରିବେଶ ସୁରକ୍ଷା ଓ ପରିବେଶ ବ୍ୟବସ୍ଥାର ସଂରକ୍ଷଣକୁ ନେଇ ଏକ ସବୁଜ ସମୀକ୍ଷା କରାଯାଇଥିଲା । ଏହି ଅବସରରେ ବନ୍ଦରର ପରିବେଶ ବିଭାଗର ଡିଜିଏମ୍‌ ସଞ୍ଜୟ ଥୋରାଟ, ମୁଖ୍ୟ-ମେରାଇନ୍ ବିଭାଗ, ଏଚ୍‌ଆର୍‌ଓ ଆଇଆର୍‌ର ବରିଷ୍ଠ ଉପସଭାପତି ଓ ସିଏଫ୍ଓ ନିଜ ଅଭିଭାଷଣରେ ପରିବେଶର ଗୁରୁତ୍ୱ ଓ ପରିବେଶ ସଂରକ୍ଷଣ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ପରିବେଶ ଦିବସକୁ ସଫଳତାର ସହ ପାଳନ କରିବା ପାଇଁ ଗୋପାଳପୁର ବନ୍ଦରର ପରିବେଶ ବିଭାଗ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରୋପଣ କରାଯାଇଥିବା ଗଛଗୁଡ଼ିକ ଯେଭଳି ବଞ୍ଚିବ ଓ ସୁସ୍ଥ ଭାବେ ବଢ଼ିବ ସେଥିପାଇଁ ତାହାର ଯତ୍ନ ନିଆଯିବ ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବନ୍ଦର ଅଞ୍ଚଳରେ ବୃକ୍ଷ ରୋପଣର ନିରନ୍ତର ସମୀକ୍ଷା, ଆଗାମୀ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଓ ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଭଳି ବହୁ ସବୁଜ ଅଭିଯାନ ଉପରେ ଆଲୋକପାତ କରାଯାଇଥିଲା ।

jittmm
Leave A Reply

Your email address will not be published.