
ରାଉରକେଲା, (ସସ୍ମିତା ପ୍ରଧାନ) : ଖାଦ୍ୟ ସହିତ ଭବିଷ୍ୟତରେ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତା ଏବଂ ଗୁରୁତ୍ୱ ରହିଛି । ୧୯୪୫ ମସିହା ଅକ୍ଟୋବର ୧୬ ତାରିଖରେ ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ହୋଇଥିଲା । ତେଣୁ ସେହି ଦିନକୁ ବିଶ୍ୱ ଖାଦ୍ୟ ଦିବସଭାବେ ପାଳନ କରାଯାଏ । ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସ୍ନାକତୋତ୍ତର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା ଏକ ଖାଦ୍ୟ ପ୍ରଦର୍ଶନୀ ଓ ଖାଦ୍ୟ ମେଳା । ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍ଘାଟନ କରିଥିଲେ । ଏହା ସହିତ ଏହି ଅବସରରେ ଯୋଗଦେଇଥିବା ସ୍ୱତନ୍ତ୍ର ଅତିଥି ଡାକ୍ତର ଜ୍ୟୋତ୍ସା ଲୁଗୁନ ଖାଦ୍ୟ ମେଳା ବୁଲିବା ସହିତ ଖାଦ୍ୟ ଚାଖିଥିଲେ । ଚଳିତ ବର୍ଷକୁ ମିଲେଟ ବର୍ଷଭାବେ ପାଳନ କରାଯାଉଥିବା ଅବସରରେ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ମିଲେଟରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ । ତାହା ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ କେକ୍, ଇଡ୍ଲି, ଚପାତି, ଲଡ଼ୁ ଆଦି ସାମଗ୍ରୀ । ଏହା ସହିତ ଲାଉରୁ ପ୍ରସ୍ତୁତ ବାଷ୍ପୀକୃତ ପଦ୍ଧତିରେ କେକ୍ ସହିତ ସୁଆଦିଆ ଜୁସ୍ ଭଳି ଖାଦ୍ୟ ଅନ୍ୟତମ ଆକର୍ଷଣ ଥିଲା । ବିଭାଗୀୟ ମୁଖ୍ୟ ମନିଶା ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି ଖାଦ୍ୟ ମେଳା ଓ ପ୍ରଦର୍ଶନୀ ଆୟୋଜନରେ ସହଯୋଗ କରିଥିଲେ ବିଭାଗର ଅଧ୍ୟାପିକା ଟିନୁ ପଟେଲ, ବୈଶାଖୀ ମହାନ୍ତି ଓ ଲିପିକା ଖମାରୀ ଏବଂ ବିଭାଗର ଛାତ୍ରୀମାନେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା । ଅଧ୍ୟକ୍ଷ ପ୍ରଫେସର ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଶ୍ରୀମତୀ ନାୟକ ଚଳିତ ବର୍ଷ ବିଶ୍ୱ ଖାଦ୍ୟ ଦିବସ ପାଳନର ବାର୍ତ୍ତା ‘ଜଳ ହିଁ ଜୀବନ, ଜଳ ହିଁ ଖାଦ୍ୟ, ପଛରେ କାହାକୁ ଦିଅନାହିଁ ଛାଡ଼ି’ ସମ୍ପର୍କରେ ସୂଚନା ଦେବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ୧୦ ଜଣଙ୍କ ମଧ୍ୟରୁ ଜଣେ ଦୂଷିତ ଖାଦ୍ୟ ଖାଦ୍ୟ ଖାଇ ଅସୁସ୍ଥ ହୋଇଥାନ୍ତି ବୋଲି ଶ୍ରୀମତୀ ନାୟକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତାଭାବେ ରାଉରକେଲା ସରକାରୀ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ଜ୍ୟୋତ୍ସ୍ନା ଲୁଗୁନ ଯୋଗଦେଇ ମଣିଷ ଜୀବନ ପାଇଁ ଖାଦ୍ୟର ପରିମାଣ ଓ ଗୁଣବତ୍ତା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଖାଦ୍ୟର ଅଭାବରେ ଅନାହାର ଓ ଅପପୁଷ୍ଟି ଜନିତ ରୋଗ ଯଥା : ମାରସମସ୍ କ୍ୱାସି ଅରକର, ରକ୍ତହୀନତା, ଅଷ୍ଟିଓପୋରୋସିସ୍, ଅନ୍ଧାରକଣା ଏବଂ ଏହି ପ୍ରକାର ଖାଦ୍ୟଭାବ ଜନିତ ରୋଗରୁ ରକ୍ଷା ପାଇବା ନିମନ୍ତେ ସନ୍ତୁଳିତ ଓ ଉଚିତ ମାନର ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ ବୋଲି ଡା ଲୁଗୁନ କହିଥିଲେ । ପ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ଶରୀରକୁ ସୁସ୍ଥ, ନୀରୋଗ ଓ ଦୀର୍ଘସ୍ଥାୟୀ ପାଇଁ ଏକ ସନ୍ତୁଳିତ ବ୍ୟବସ୍ଥାର ଖାଦ୍ୟ ଗ୍ରହଣର ଗୁରୁତ୍ୱ ସମ୍ପର୍କରେ କହିଥିଲେ । ଏହା ସହିତ ସାମ୍ପ୍ରତିକ ସମୟରେ ଏବଂ ଭବିଷ୍ୟତରେ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତା ଏବଂ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ବିଭାଗୀୟ ଅଧ୍ୟାପିକା ଟିନୁ ପଟେଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମଗ୍ର ବିଶ୍ୱରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ସୁଷମ ବଣ୍ଟନର ସହଜୀକରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଗୃହ ବିଜ୍ଞାନ ବିଭାଗ ସମେତ ଅନ୍ୟ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।