jayashree

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

  • ପୁରସ୍କୃତ ହେଲେ ୧୧ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଓ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ
  • ବ୍ୟକ୍ତିଗତ ପ୍ରୟାସ ଓ ସଚେତନତା ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ବିଶେଷ ସହାୟକ ହେବ

ସୁବର୍ଣ୍ଣପୁର, (କେପିଏନଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସ୍ଥିତ ତାଳିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଡିପିଏଚ୍‌ ଓ ଡାକ୍ତର ମନୋଜ କୁମାର ଅଦାବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଏଡିପିଏଚ୍‌ଓ (ଟିବି ) ଡାକ୍ତର ପଦ୍ମହଂସା ଦୋରା,ଏଡିପିଏଚ୍‌ଓ (ଡିସି /ଭିବିଡି ) ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡାକ୍ତର ମାନସ ରଞ୍ଜନ ଦଣ୍ଡପାଟ, ଡାକ୍ତର ପ୍ରକାଶ ଦନସେନା, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ବିଶ୍ୱମ୍ବର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ । ଏହି ଅବସରରେ ଜିଲ୍ଲାର ୧୧ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଜନସଂଖ୍ୟା ବୃଦ୍ଧି ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ମାନପତ୍ର ଓ ଟ୍ରଫି ପ୍ରଦାନ ସହ ଅତିଥି ବୃନ୍ଦ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ସଚେତନତା ସଭାରେ ଅତିଥି ବୃନ୍ଦ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସାମ୍ପ୍ରତିକ ସମୟରେ ଜନସଂଖ୍ୟା ବୃଦ୍ଧି ବୈଶ୍ୱିକ ସମସ୍ୟା ହୋଇଥିବା ବେଳେ ଏହାକୁ ରୋକିବାକୁ ସମାଜର ପ୍ରତ୍ୟକ ସ୍ତରରେ ବ୍ୟକ୍ତିଗତ ଭାବେ ଆନ୍ତରିକ ସାମିଲ ହେବାକୁ ଆହ୍ୱାନ କରାଯାଇଛି । ପୁନଶ୍ଚ ଜିଲ୍ଲାର କୋଣ ଅନୁକୋଣରେ ବିଭିନ୍ନ ବର୍ଗରେ ବ୍ୟାପକ ସଚେତନତା ପୂର୍ବକ ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ଏକ ସୁସ୍ଥ ସୁନ୍ଦର ଭାରତବର୍ଷ ଗଠନ କରାଯାଇପାରିବ ସେଥି ନିମନ୍ତେ ଅତିଥି ବୃନ୍ଦ ନିଜ ନିଜର ବହୁମୂଲ୍ୟ ମତପ୍ରକାଶ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଡିପିଏମ୍‌ ବିଶ୍ୱମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଏସ୍‌ଆଇ ମନୋଜ କୁମାର ପ୍ରଧାନ, ଡିଏମ୍‌ଆରସିଏଚ୍‌ ସୁଧାଂଶୁ ନାଏକ, ଡିଡିଏମ୍‌ ପ୍ରଦୀପ ସାହୁ, ଏଏମ୍‌ସିପି ତରଣୀ ସେନ ପ୍ରଧାନ ଓ ଏମ୍‌ପିଏଚ୍‌ଏସ୍‌ (ଏମ) ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠିତ ସଭାରେ ଷ୍ଟାଫ ନର୍ସ, ନର୍ସିଙ୍ଗ ଛାତ୍ରଛାତ୍ରୀ, ଆଶା କର୍ମୀ, ଜିଲ୍ଲାର ବିଭିନ୍ନ ସିଏଚ୍‌ସି ଓ ପିଏଚ୍‌ସିର ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲାସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କ ସହ ଜିଲ୍ଲାସ୍ତରୀୟ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.