ବିଷଧର ସାପ କାମୁଡ଼ାରେ ବାପଝିଅର ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ଏକା ସଙ୍ଗେ ଚାଲି ଗଲେ ବାପ ଓ ଝିଅ । ବିଷାକ୍ତ ସାପ କାମୁଡ଼ାରେ ବାପଝିଅ ମୃତ । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼ିକାଜୋର ଗ୍ରାମର ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର (୧୬) ରାତିରେ ଖାଇ ସାରି ଶୋଇଥିଲେ । ରାତି ସମୟରେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା । ଫଳରେ ଦୁହେଁ ଚିତ୍କାର କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନା ନେଇଯାଇଥିଲେ । ଡାକ୍ତରଖାନାରେ ପହଂଚିବା କ୍ଷଣି ଝିଅଟିର ମୃତ୍ୟୁ ହୋଇଥିଲା । କିନ୍ତୁ ବାପାଙ୍କ ଅବସ୍ଥା ଗୁରୁତର ଥିଲା । ବାପାଙ୍କ ଅବସ୍ଥା ଗୁରୁତର ଥିବାରୁ କିଛି ସମୟ ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ବାପା ସୁଶାନ୍ତ କହଁର ପେସାରେ ଜଣେ ଶିକ୍ଷକ ଓ ସେ ମାର୍ଡିଙ୍ଗ ସ୍କୁଲରେ ଶିକ୍ଷକତା କରୁଥିଲେ । ଝିଅ ପ୍ରୀତି କହଁର ଆଦର୍ଶ ବିଦ୍ୟାଳୟ ମଣିପୁରରୁ ଦଶମ ଶ୍ରେଣୀ ପାସ କରିବା ପରେ ଗଣିଆର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଦ୍ୱାଦଶରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଦଶହରା ଛୁଟିରେ ସେ ଘରକୁ ଆସିଥିଲେ । ବିଶେଷ କରି ସୁଶାନ୍ତ କହଁର ଜଣେ ଈଶ୍ୱର ବିଶ୍ୱାସୀ ଓ ମେଳାପୀ ଶିକ୍ଷକ ଥିବାରୁ ଶିକ୍ଷକଙ୍କ ମହଲରେ ତଥା ଅଞ୍ଚଳରେ ଉଭୟ ବାପଝିଅଙ୍କ ମୃତ୍ୟୁକୁ ନେଇ ଏକ ଶୋକର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି । ଉଭୟଙ୍କୁ ସରକାରଙ୍କ ତରଫରୁ ଆବଶ୍ୟକ କ୍ଷତି ପୁରଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.