
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ମା’ ନିଜ ଜନ୍ମ କଲା ପୁଅର ଦୁଃଖକୁ ସହି ନ ପାରି ନିଜ ପୁଅକୁ ବିଷ ଦେଇ ନିଜେ ବିଷ ପିଇଥିବା ଭଳି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ, ମହିଳା ଜଣକ ହେଲେ କମି ପଲେଇ(୫୫) । କୌଣସି କାରଣରୁ ଶୁକ୍ରବାର ସକାଳ ପ୍ରାୟ ସାଢେ ଆଠଟା ସମୟରେ ଚାଉଳରେ ପୋକ ନ ଲାଗିବା ପାଇଁ ଘରେ ଥିବା ଔଷଧକୁ ପ୍ରଥମେ ନିଜ ବଡ଼ ପୁଅ ସନ୍ତୋଷ ପଳେଇଙ୍କୁ ପିଇବାକୁ ଦେଇଥିଲେ ଓ ପରେ ନିଜେ ପିଇ ଦେଇଥିଲେ । ସନ୍ତୋଷ ଜଣେ ଉଦାସିଆ ପ୍ରକୃତିର ବ୍ୟକ୍ତି । ତାଙ୍କୁ ତାହା ଅଲଗା ପ୍ରକାର ବାସ୍ନା ହୋଇଥିବା ଅନୁଭବ କରିଥିଲେ । ପରେ ସେ ବାରମ୍ବାର ବାନ୍ତି କରିଥିଲେ । ପରେ ଗାଁ ଲୋକେ ମା’ ଓ ପୁଅଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ସେଠାରେ ମା’ କମିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପୁଅ ସନ୍ତୋଷ ସୁସ୍ଥ ହୋଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, କମିଙ୍କ ଦୁଇ ପୁଅ ଓ ଗୋଟିଏ ମାତ୍ର ଝିଅ । ପିଲାମାନେ ଛୋଟ ଛୋଟ ଥିବା ସମୟରେ କମିଙ୍କର ସ୍ୱାମୀ କାମ୍ପ ପଳେଇଙ୍କ ମୃତ୍ୟୁ ହୋଇଯାଇଥିଲା । ମା’ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରେ ହେଲ୍ପର ଭାବେ କାର୍ଯ୍ୟ କରି ଆସୁଥିଲେ ଏବଂ ବହୁ କଷ୍ଟରେ ପିଲାଙ୍କୁ ବଡ଼ କରିବା ସହ ଝିଅର ବାହାଘର ସେହି ଗ୍ରାମରେ କରାଇ ଥିଲେ । ଆଉ ଦୁଇ ପୁଅଙ୍କୁ ମଧ୍ୟ ଗୋଟିଏ ଦିନରେ ବାହାଘର କରିଥିଲେ ମା’ । କିନ୍ତୁ ବଡ଼ ପୁଅ ଉଦାସିଆ ଯୋଗୁଁ ବାହାଘର କିଛି ଦିନ ପରେ ସନ୍ତୋଷକୁ ତାଙ୍କ ପତ୍ନୀ ଛାଡି ଚାଲିଯାଇଛନ୍ତି । ସେହି ଗୋଟିଏ ଘରେ ସାନ ପୁଅ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ, ମା’ ଓ ଭାଇ ମିଶି ରହୁଥିଲେ । ଘଟଣା ଜାଣିବା ପରେ ସାନ ପୁଅ ସୁଶାନ୍ତ ବାରମ୍ବାର ଅଚେତ ହୋଇ ପଡୁଥିବା ଦେଖିବାକୁ ମିଳିଥିଲା । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗରିବ ଓ ଅସହାୟ ଯୋଗୁଁ ଏହି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ବ୍ରହ୍ମପୁର ବଡ଼ ମେଡିକାଲ ଯାଇ ଘଟଣାର ତଦନ୍ତ କରିବା ସହ କେଶ ନ ୮/୨୨ରେ ଏକ ଅପମୃତ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି ।