
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର କୈବର୍ତ୍ତପଡ଼ା ଠାରେ ଆୟୋଜିତ ନବରାତ୍ରୀ ପୂଜା ସହ ବାଲି ବିସର୍ଜନ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ବର୍ଷ ପ୍ରତିପଦାଠାରୁ ନିଷ୍ଠାର ସହିତ ଆୟୋଜିତ ନବରାତ୍ର ପୂଜାରେ ପ୍ରତ୍ୟହ ପୂଜନ ଓ ଅନ୍ନପ୍ରସାଦର ବ୍ରତ ରଖାଯାଇଥିଲା । ଏହି ଅବସରରେ ବିଭିନ୍ନ ଅଞ୍ଚଳର ପ୍ରତିଷ୍ଠିତ ଦେବଦେବୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଗତ ସୋମବାର ପୂର୍ଣ୍ଣାହୂତି ପରେ ମଙ୍ଗଳବାର ଦିନ ଏକ ସୁସଜ୍ଜିତ ପଟୁଆର ସହ ଶ୍ରଦ୍ଧାଳୁମାନେ ଆସି ଚାରି ଖୁଣ୍ଟିଆ ପୁଷ୍କରିଣୀରେ ବିଭିନ୍ନ ଶସ୍ୟକୁ ନେଇ ଅଙ୍କୁରିତ କରିଥିବା ବାଲିକୁ ଭକ୍ତିର ସହ ବିସର୍ଜନ କରିଥିଲେ । ୯ ଦିନ ଯାକ ଭଗବତୀଙ୍କୁ ଶୁକ୍ଳଭୋଗ ଅର୍ପଣ କରାଯାଇଥିଲା । ସର୍ବୋପରି ମୋହନ କୈବର୍ତ୍ତ, ନାରାୟଣ କୈବର୍ତ୍ତ, କାର୍ତ୍ତିକ କୈବର୍ତ୍ତ, ଗଣେଶ କୈବର୍ତ୍ତ, ନରହରି କୈବର୍ତ୍ତ, ସୁଦର୍ଶନ କୈବର୍ତ୍ତ ପ୍ରମୁଖ ଆୟୋଜନ କରିଥିଲେ । ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମା’ଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।