ବାଲେଶ୍ୱର : ଏକତରଫା ପ୍ରେମରୁ ସୋରରେ ଯୁବତୀଙ୍କୁ ହତ୍ୟା ଘଟଣା । ୩ ଦିନ ପରେ ଅଭିଯୁକ୍ତ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଲିଙ୍ଗପଡାର ସମ୍ପୃକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଉଥିଲା । ସେ ରାଜି ନହେବାରୁ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା ଏବଂ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବାକୁ ପୋଲିସ ୪ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ତଳସାହି ନିକଟ ଏକ ଜଙ୍ଗଲରେ ବୁଲୁଥିବା ଦେଖାଯାଇଥିଲା । ଖବର ପାଇ ପୋଲିସ ମଧ୍ୟ ରାତିରେ ଜଙ୍ଗଲ ଭିତରେ ଲୁଚି ରହିଥିଲା । ଆଜି ସକାଳୁ ସକାଳୁ ଅଭିଯୁକ୍ତ ଯୁବକ ପୋଲିସକୁ ଦେଖି ଦୌଡିଥିଲା । ପୋଲିସ ମଧ୍ୟ ତା’ର ପିଛା କରୁଥିବାବେଳେ ଗିରଫ ଭୟରେ ବିଷ ପିଇ ଦେଇଥିଲା ଅଭିଯୁକ୍ତ । ପୋଲିସ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।