• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟ : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
• ୨୦୧୦ ତୁଳନାରେ ୨୦୨୪ରେ ହିଂସାରେ ୮୧% ହ୍ରାସ ଏବଂ ଜୁନ୍ ୨୦୧୫ରୁ ମଇ ୨୦୨୫ ମଧ୍ୟରେ ୫୬% ହ୍ରାସ ଦେଖା ଦେଇଛି
• ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୧୧୦୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୭,୩୧୧ ଜଣ ଗିରଫ ହୋଇଛନ୍ତି ଏବଂ ୫,୫୭୧ ଜଣ ଆତ୍ମସର୍ପଣ କରିଛନ୍ତି
• ୨,୧୬୭ ମାଓବାଦୀ ଥଇଥାନ ସହାୟତାର ଲାଭ ନେଇଛନ୍ତି; ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ମୋଟ୍ ୨୦,୮୧୫ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଆଜି ଲୋକସଭାରେ ବାମପନ୍ଥୀ ଉଗ୍ରବାଦ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ମାଓ ପ୍ରଭାବିତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଦୀ ସରକାର ହିଂସାତ୍ମକ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ନେଇ ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ମାଓ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସରକାରଙ୍କ ଏସବୁ ପଦକ୍ଷେପ କାରଣରୁ ବାମପନ୍ଥୀ ଉଗ୍ରବାଦ ଘଟଣାରେ ୨୦୧୦ ତୁଳନାରେ ୨୦୨୪ରେ ୮୧% ହ୍ରାସ ଦେଖା ଦେଇଛି । ସେହିପରି ୨୦୦୪ରୁ ୨୦୧୪ ମଧ୍ୟରେ ୧୬,୧୩୫ଟି ହିଂସା ଘଟଣା ଘଟିଥିବା ବେଳେ ଜୁନ୍ ୨୦୧୫ରୁ ମଇ ୨୦୨୫ ମଧ୍ୟରେ ୭,୧୩୪ଟି ହିଂସା ଘଟଣା ଘଟିଛି । ହିଂସାରେ ୫୬% ହ୍ରାସ ଦେଖା ଦେଇଛି । ୧ ଜୁନରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ୧୧୦ଟି ହିଂସା ଘଟଣା ଘଟିଛି । ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା ପୂର୍ବ ଅବଧିରେ ୪,୬୮୪ ଥିବାବେଳେ ବିଗତ ୧୦ ବର୍ଷ ମଧ୍ୟରେ ଏହା ୭୦% ହ୍ରାସ ପାଇ ୧୪୦୪ରେ ପହଞ୍ଚିଛି । ୧ ଜୁନରୁ ୩୦ ନଭେମ୍ବର ୨୦୨୫ ମଧ୍ୟରେ ଏହା ୩୫କୁ ହ୍ରାସପାଇଛି । ୨୦୦୪ରୁ ୨୦୧୪ ମଧ୍ୟରେ ୧,୮୨୪ ଜଣ ସୁରକ୍ଷା ବାହିନୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୫ରୁ ୨୦୨୫ ମଧ୍ୟରେ ଏହା ୭୫% ହ୍ରାସ ପାଇ ୪୬୪ରେ ପହଞ୍ଚିଛି । ସେହିପରି ମୋଟ୍ ମୃତ୍ୟୁସଂଖ୍ୟା ୭୧% ହ୍ରାସପାଇଛି । ୨୦୧୪ରେ ୧୦ଟି ରାଜ୍ୟ, ୧୨୬ଟି ଜିଲ୍ଲାଏବଂ ୪୬୫ଟି ଥାନାଞ୍ଚଳ ମାଓବାଦ ଦ୍ୱାରା ପ୍ରଭାବିତ ହୋଇଥିଲା । ଏଥିରେ ଯଥାକ୍ରମେ ୫୦%, ୯୧% ଏବଂ ୭୭% ହ୍ରାସ ଦେଖାଦେଇଛି । ୨୦୨୫ରେ ମାତ୍ର ୫ଟି ରାଜ୍ୟର ୧୧ଟି ଜିଲ୍ଲାଏବଂ ୧୦୬ଟି ଥାନା କ୍ଷେତ୍ର ମାଓ ପ୍ରଭାବିତ କ୍ଷେତ୍ର ରୂପେ ଚିହ୍ନଟ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ରାୟ କହିଛନ୍ତି, ୨୦୧୪ରୁ ବର୍ତ୍ତମାନସୁଦ୍ଧା ୯,୫୮୮ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । କେବଳ ଚଳିତ ବର୍ଷ ୨୧୬୭ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ମାଓ ବିରୋଧୀ ଅଭିଯୋଗରେ ଏକ ଉଲ୍ଲେଖନୀୟ ସଫଳତା । ଜୁନ୍ ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ୨୯ ଜଣ ଶୀର୍ଷ ମାଓ ନେତା ନିହତ ହୋଇଥିବା ବେଳେ ଚଳିତ ବର୍ଷ ୧୪ ଜଣ ନିହତ ହୋଇଛନ୍ତି । ୨୦୧୯ରୁ ବର୍ତ୍ତମାନସୁଦ୍ଧା ୧୧୦୬ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୭,୩୧୧ ଜଣ ଗିରଫ ହୋଇଛନ୍ତି ଏବଂ ୫,୫୭୧ ଜଣ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିଛନ୍ତି । ଶୀର୍ଷ କ୍ୟାଡର ମାଓବାଦୀଙ୍କୁ ୫ ଲକ୍ଷ, ଅନ୍ୟ କ୍ୟାଡରଙ୍କୁ ୨.୫୦ ଲକ୍ଷ ଏବଂ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ସହିତ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଲାଗି ୧୦ ହଜାର ଟଙ୍କାର ମାସିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ପୀଡ଼ିତ ପରିବାରକୁ ମାଗଣା ଶିକ୍ଷାଦାନ ଓ ଛାତ୍ରାବାସ ସୁବିଧା ସହିତ ଛାତ୍ରବୃତ୍ତି ମଧ୍ୟ ଦିଆଯାଉଛି । ଆହତ ଏବଂ ଅକ୍ଷମବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ସହ ଜମି, ରୋଜଗାର ଏବଂ ନିଯୁକ୍ତି ସହାୟତା ଦେବାର ବ୍ୟବସ୍ଥା ରହିଛି । ମହିଳା କ୍ୟାଡର ମାନଙ୍କୁ ସହାୟତା ରାଶି ଏବଂ ବିଭିନ୍ନ ଯୋଜନାରେ ପ୍ରାଥମିକତା ଦିଆଯିବାର ବ୍ୟବସ୍ଥା ରହିଛି । ପୁଲିସ ସହଯୋଗୀ ମାନଙ୍କୁ ଆବାସ ଯୋଜନାରେ ଘର, ସହାୟତା ରାଶି, ଚାଷ ଓ ଘର ଡିହ ଜମି ଯୋଗାଇ ଦିଆଯାଉଛି । ଏବେ ସୁଦ୍ଧା ୨,୧୬୭ ମାଓବାଦୀ ଥଇଥାନ ସହାୟତାର ଲାଭ ପାଇ ସାରିଛନ୍ତି । ଶ୍ରୀ ରାୟ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧାବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ୫୭୪ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାଟାଲିୟନକୁ ମୁତୟନ କରାଯାଇଛି । ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଯୋଜନାରେ ଏସବୁ ଅଞ୍ଚଳ ପାଇଁ ୩୫୨୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ୧,୭୫୭ କୋଟି, ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ ୩,୮୪୮.୪୯ କୋଟି, ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଅନୁଦାନ ଯୋଜନାରେ ୧୨୧୮ କୋଟି, ନାଗରିକ କେନ୍ଦ୍ରିତ ସୁବିଧା କାର୍ଯ୍ୟକ୍ରମ ପାଇଁ ୨୧୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା ମୁତାବକ, ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ ୭୦୬ଟି ସୁରକ୍ଷିତ ପୁଲିସ ଷ୍ଟେସନ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି । ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ପାଇଁ ୧୧୪୩ ଜଣ ଯବାନଙ୍କୁ ନିଯୁକ୍ତି ଦେଇ ସ୍ୱତନ୍ତ୍ର ସିଆରପିଏଫ ବସ୍ତରିୟା ବାଟାଲିୟନ ଗଠନ କରାଯାଇଛି । ୨୦୧୯ରୁ ବର୍ତ୍ତମାନ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ୩୭୭ଟି ସୁରକ୍ଷା ଶିବିର ଖୋଲାଯାଇଛି । ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ମୋଟ୍ ୨୦,୮୧୫ କୋଟି ଟଙ୍କାମଞ୍ଜୁର କରାଯାଇ ଥିବାବେଳେ ଏଥି ମଧ୍ୟରୁ ପ୍ରାୟ ୮୫% କାମ ଅର୍ଥାତ୍ ୧୭,୫୭୩ କିମି ସଡ଼କ କାମ ଶେଷ ହୋଇଛି । ଏସବୁ ଅଞ୍ଚଳରେ ୧୦,୬୫୧ ମୋବାଇଲ ଟାୱାର, ୪୯୬ କୋଟିଟଙ୍କାବ୍ୟୟରେ ୪୬ଟି ଆଇଟିଆଇ ଏବଂ ୪୯ଟି ଦକ୍ଷତା ବିକାଶ କେନ୍ଦ୍ର, ୧୧ଟି କେନ୍ଦ୍ରୀୟ ବିଦ୍ୟାଳୟ, ୬ଟି ନବୋଦୟବିଦ୍ୟାଳୟ, ୨୫୮ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ୬,୦୨୫ ଡାକଘର, ୧୮୦୪ ବ୍ୟାଙ୍କଶାଖା, ୧୩୨୧ ଏଟିଏମ୍ ଖୋଲିବାକୁ ଅନୁମୋଦନ କରାଯାଇଛି । ସେ କହିଛନ୍ତି, ଦେଶରେ ବାମପନ୍ଥୀ ଉଗ୍ରବାଦ ସମସ୍ୟା ୧୯୬୭ ମସିହାରୁ ଚାଲିଆସୁଛି । ପୂର୍ବରୁ ପଶୁପତିନାଥ ଠାରୁ ଆରମ୍ଭ କରି ତିରୁପତି ପର୍ଯ୍ୟନ୍ତ ଅଞ୍ଚଳକୁ ରେଡ୍ କରିଡର କୁହାଯାଉଥିଲା । ବର୍ତ୍ତମାନ ଏହା ଖୁବ୍ କମ୍ ଅଞ୍ଚଳରେ ସୀମିତ ରହିଛି । ମୋଦୀ ସରକାର ବାମପନ୍ଥୀ ଉଗ୍ରବାଦ ବିରୋଧରେ କଠୋର ନୀତି ଆପଣାଇଛନ୍ତି ।