● ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦଶନ୍ଧି : ହିଂସା କମିବାଠାରୁ ବିକାଶ ଓ ଥଇଥାନ ପର୍ଯ୍ୟନ୍ତ ଯାତ୍ରା
● ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ହିଂସା ୫୩% ହ୍ରାସ
● ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୭୬ ଥାନା ନିର୍ମାଣ
● ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ୧୮କୁ କମିଲା
● ଅକ୍ଟୋବର ୨୦୨୫ ସୁଦ୍ଧା ୧୨୨୫ ନକ୍ସଲଙ୍କ ଆତ୍ମସମର୍ପଣ ଏବଂ ୨୭୦ ନକ୍ସଲ ନିହତ
● ନକ୍ସଲ ଆକ୍ରମଣରେ ସହିଦ ସୁରକ୍ଷାକର୍ମୀଙ୍କ ସଂଖ୍ୟା ୭୩% ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟାରେ ୭୦% ହ୍ରାସ
ନୂଆଦିଲ୍ଲୀ, (ପିଆଇବି) : ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବାର ଦୃଢ଼ସଂକଳ୍ପ ନେଇ କେନ୍ଦ୍ର ସରକାର ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଲୋଚନା, ସୁରକ୍ଷା ଏବଂ ସମନ୍ୱୟର ଏକୀକୃତ ନୀତି ଆପଣାଇ ସରକାର ଆଇନର ପ୍ରଭାବୀ କାର୍ଯ୍ୟକାରିତା, କ୍ଷମତା ନିର୍ମାଣ ଏବଂ ସାମାଜିକ ସମନ୍ୱୟ ଉପରେ ନିରନ୍ତର ଧ୍ୟାନ ଦେଉଛନ୍ତି । ଏହାର ପ୍ରଭାବରେ ଦେଶରେ ନକ୍ସଲ ହିଂସାରେ ଉଲ୍ଲେଖନୀୟ ହ୍ରାସ ଦେଖା ଦେଇଛି । ୨୦୧୪ରୁ ୨୦୨୪ ମଧ୍ୟରେ ଦେଶରେ ନକ୍ସଲ ହିଂସା ଘଟଣା ୧୬,୪୬୩ରୁ ହ୍ରାସ ପାଇ ୭,୭୪୪ ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ନକ୍ସଲଙ୍କ ସହ ମୁକାବିଲାରେ ସହିଦ ହେଉଥିବା ସୁରକ୍ଷାକର୍ମୀଙ୍କ ସଂଖ୍ୟା ୧,୮୫୧ରୁ କମି ୫୦୯ରେ ପହଞ୍ଚିଛି । ନକ୍ସଲ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ସାଧାରଣ ନାଗରିକଙ୍କ ସଂଖ୍ୟା ମଧ୍ୟ ୪,୭୬୬ରୁ ହ୍ରାସ ପାଇ ୧,୪୯୫ରେ ପହଞ୍ଚିଛି । କେବଳ ୨୦୨୫ରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୨୭୦ ନକ୍ସଲ ନିହତ ହେବା ସହିତ ୬୮୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧୨୨୫ ଜଣ ଆତ୍ମସମର୍ପଣ କରିଛନ୍ତି । ଅପରେସନ ବ୍ଲାକ ଫରେଷ୍ଟ ଭଳି ଅଭିଯାନ କାରଣରୁ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ବହୁସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିବା ସହିତ ମୁଖ୍ୟସ୍ରୋତକୁ ଫେରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶର ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୭୬ ଥାନା ସ୍ଥାପନ କରାଯାଇଥିବା ବେଳେ ବିଗତ ୬ ବର୍ଷ ମଧ୍ୟରେ ୩୩୬ଟି ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୧୪ରେ ୧୨୬ରୁ ହ୍ରାସ ପାଇ ୨୦୨୪ରେ ମାତ୍ର ୧୮ରେ ପହଞ୍ଚିଛି । ସେହିପରି ୬୮ଟି ରାତ୍ରିକାଳୀନ ଅବତରଣ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ନକ୍ସଲ ମୁକାବିଲାକୁ ଅଧିକ ଦକ୍ଷ କରିପାରିଛି । ନକ୍ସଲମାନଙ୍କ ସମ୍ପତ୍ତି ଜବତ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏନଆଇଏ ୪୦ କୋଟି, ଇଡି ୧୨ କୋଟି ଏବଂ ରାଜ୍ୟଗୁଡ଼ିକ ୪୦ କୋଟି ଟଙ୍କାର ନକ୍ସଲ ସମ୍ପତ୍ତି ଜବତ କରିଛନ୍ତି । ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ (ଏସଆରଇ) ଯୋଜନା ଅଧୀନରେ, ଗତ ୧୧ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦୀ-ପ୍ରଭାବିତ ରାଜ୍ୟଗୁଡ଼ିକୁ ୩,୩୩୧ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ପୂର୍ବ ଦଶନ୍ଧି ତୁଳନାରେ ୧୫୫% ବୃଦ୍ଧି । ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା (ଏସଆଇଏସ) ରାଜ୍ୟ ସ୍ୱତନ୍ତ୍ର ବାହିନୀ, ସ୍ୱତନ୍ତ୍ର ଗୁଇନ୍ଦା ଶାଖାକୁ ସୁଦୃଢ଼ କରିବା ଏବଂ ସୁଦୃଢ଼ ପୋଲିସ ଷ୍ଟେସନ ନିର୍ମାଣ ପାଇଁ ୯୯୧ କୋଟି ଟଙ୍କା ମଞ୍ଜୁର କରିଛି । ୨୦୧୭-୧୮ ପରଠାରୁ, ୧,୭୪୧ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନୁମୋଦିତ ହୋଇଛି, ଏବଂ ଏପର୍ଯ୍ୟନ୍ତ ୪୪୫ କୋଟି ଟଙ୍କା ଜାରି କରାଯାଇଛି । ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍.ସି.ଏ.) ଅଧୀନରେ, ନକ୍ସଲପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ୩,୭୬୯ କୋଟି ଟଙ୍କା ଜାରି କରାଯାଇଥିଲା । ୨୦୧୪ରୁ ୨୦୨୫ ମଧ୍ୟରେ ୧୨ ହଜାର କିଲୋମିଟର ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି । ମୋଟ୍ ୧୭,୫୮୯ କିଲୋମିଟର ସଡ଼କ ନିର୍ମାଣ ପାଇଁ ୨୦,୮୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମାଓବାଦ ପ୍ରଭାବିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ ୬୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରାଯାଇ ୪୯୦୦ରୁ ଅଧିକ ଟୁଜି ମୋବାଇଲ ଟାୱାର ନିର୍ମାଣ କରାଯାଇଛି । ଏହାଛଡ଼ା ୮,୫୨୭ ଫୋର୍ ଜି ଟାୱାର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ଏସବୁ ଜିଲ୍ଲାରେ ୧୦୦୭ ବ୍ୟାଙ୍କ, ୯୩୭ ଏଟିଏମ ସ୍ଥାପନ କରାଯାଇଛି । କୌଶଳ ବିକାଶ ଯୋଜନାରେ ୪୯୫ କୋଟି ଟଙ୍କା ବ୍ୟୟରେ ୪୮ଟି ଆଇଟିଆଇ ପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତର ନକ୍ସଲବାଦ ବିରୁଦ୍ଧରେ ଲଢ଼େଇ ସୁରକ୍ଷା, ବିକାଶ ଏବଂ ସାମାଜିକ ନ୍ୟାୟ ଉପରେ ଆଧାରିତ ଏକ ବ୍ୟାପକ ଅଭିଯାନରେ ପରିଣତ ହୋଇଛି ।