ପରିବେଶ ମଞ୍ଜୁରୀ ଅବଧି ସରିଯାଇଥିବା ସତ୍ତ୍ୱେ ଆଇଆରଇଏଲ୍ କମ୍ପାନୀର ବେଆଇନ ଖଣିଜ ସମ୍ପଦ ଉତ୍ତୋଳନକୁ ଦୃଢ଼ ବିରୋଧ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆରଇଏଲ୍ (ଇଣ୍ଡିଆ) କମ୍ପାନୀର ପରିବେଶ ମଞ୍ଜୁରୀ ନ ଥାଇ ବେଆଇନ ଭାବେ ଖଣିଜ ସମ୍ପଦ ଉତ୍ତୋଳନ କରିବା ଏକ ଅସାମ୍ବିଧାନିକ ପ୍ରଥା ବୋଲି ଭାରତୀୟ ବିକାଶ ପରିଷଦ ତରଫରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି ।

ଭାରତୀୟ ବିକାଶ ପରିଷଦ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମତ ପ୍ରକାଶ କରିଛନ୍ତି ଯେ, ଜାନୁଆରୀ ୨୦୧୯ ମସିହାଠାରୁ ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରତୀୟ ବିରଳ ମୃତ୍ତିକା କମ୍ପାନୀର ପରିବେଶ ମଞ୍ଜୁରୀ ନଥିବା ବେଳେ ଦୀର୍ଘ ତିନିବର୍ଷ ହେଲା ବେନିୟମ ଭାବେ ଉକ୍ତ କମ୍ପାନୀ ଖଣିଜ ସମ୍ପଦ ଖନନ କରିଆସୁଅଛି । ଏହା ଗଞ୍ଜାମ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବେଶ ଅଧିକାରୀଙ୍କ ଜ୍ଞାତସାରରେ ହେଉଥିବା ସ୍ପଷ୍ଟ ମନେ ହୁଏ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନିମନ୍ତେ ଜିଲ୍ଲା ପ୍ରଶାସନ ଅନ୍ଧ, ମୁକ, ବଧିର ସାଜି ଆସିଛନ୍ତି, ବୋଲି ଭାରତୀୟ ବିକାଶ ପରିଷଦ ଅଭିଯୋଗ କରିଛି । ଉକ୍ତ କମ୍ପାନୀ ଯୋଗୁଁ ଛତ୍ରପୁରର ତଳି ଅଞ୍ଚଳର ଜଳ, ପବନ ଓ ମାଟି କଳୁଷିତ ହୋଇଆସିଛି । ଏପରିକି ଏଠାରେ ଆଇଆରଇ ଶିଳ୍ପାୟନ ଗଢ଼ିଉଠିଥିବା ପାଖ ପରିସର ଅଞ୍ଚଳ ଯଥା- ଆର୍ଯ୍ୟପଲ୍ଲୀ, କଣମଣା, କାଳିପଲ୍ଲୀ ଓ ଅଗସ୍ତିନୂଆଗାଁ ଆଦି ଗ୍ରାମ ପଞ୍ଚାୟତରେ ପ୍ରାୟ ଶତାଧିକ ଲୋକ କିଡ଼ନୀ ଓ ପାରାଲିସିସ୍‌ ଭଳି ରୋଗରେ ମୃତ୍ୟୁବରଣ କରିଛନ୍ତି । ତେବେ ଶହସ୍ରାଧିକ ଲୋକ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଓ ପରିବେଶବିତ୍‌ ଅଧିକାରୀଙ୍କ ନୀରବଦ୍ରଷ୍ଟା କାର୍ଯ୍ୟରେ ଏକ ବଡ଼ ସନ୍ଦେହ ଜନକ ପରିସ୍ଥିତି ସୃଷ୍ଟି ଭଳି ଅଭିଯୋଗ ହୋଇଛି ।

ଉକ୍ତ ସମ୍ମିଳନୀରେ ରାଜେନ୍ଦ୍ର ଦଳବେହେରା, ଗୁରୁଚରଣ ପାତ୍ର, ଏମ. ଯୋଗମାୟା, ଭୀମ ବେହେରା, ସୂର୍ଯ୍ୟ ନାରାୟଣ ବେହେରା, ମିନତୀ ପାତ୍ର, ଦଣ୍ଡପାଣି ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦାନ କରି ଆଲୋଚନାରେ ଭାଗ ଆଇଆରଇଏଲ୍ (ଇଣ୍ଡିଆ) କମ୍ପାନୀର ମନମୂଖୀ କାରବାର ଦୁର୍ନୀତି ସମ୍ପର୍କରେ ବଖାଣି ଥିଲେ ।

Leave A Reply

Your email address will not be published.