ଜବର ଦଖଲ ଉଚ୍ଛେଦକୁ ନଅଗାଁ (ଖ) ଗ୍ରାମବାସୀଙ୍କ ବିରୋଧ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମରେ ଆଗଲପୁର ତହସିଲଦାର ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ସରକାରୀ ଜାଗାରେ ତିଆରି କରିଥିବା ଘରଗୁଡିକୁ ଜେସିବି ଦ୍ୱାରା ଭଙ୍ଗା ଯାଇଥିବା ଜଣାପଡିଛି । ପ୍ରକାଶଯୋଗ୍ୟ ଯେ, ନଅଗାଁ (ଖ) ଠାରୁ ଏନଏଚ ୨୦୧ ପର୍ଯ୍ୟନ୍ତ ଦୈର୍ଘ୍ୟ ୧.୮୫ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନୂତନ ରାସ୍ତା କାମ ଚାଲିଛି । ରାସ୍ତାର ଉଭୟ ପାର୍ଶ୍ୱରେ ସରକାରୀ ଜାଗାରେ ଅନେକ ଘରମାନ ଲୋକେ ଜବର ଦଖଲ କରି ତିଆରି କରିଥିଲେ । ତେଣୁ କାର୍ଯ୍ୟରେ ବାଧାପ୍ରାପ୍ତ ହେତୁ ରାସ୍ତା ପ୍ରଶସ୍ତିକରଣ ସକାଶେ ଜବର ଦଖଲ ଉଚ୍ଛେଦ କରାଯାଇଛି । କିନ୍ତୁ ଲୋକେ ପ୍ରଶ୍ନ କରନ୍ତି ଲମ୍ବା ହାତ ଥିବା ଲୋକଙ୍କୁ ଛାଡି ଗରିବ ଲୋକଙ୍କ ଆବାସ ଯୋଜନା ଘରଗୁଡିକୁ କାହିଁକି ଭାଙ୍ଗିଛି ପ୍ରଶାସନ । ନଅଗାଁ (ଖ) ହେଉଛି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଜନ୍ମମାଟି, ତଥାପି ଯଦି ପ୍ରଶାସନ ଏମିତି କାର୍ଯ୍ୟକଳାପ କରୁଛି ତାହା ହେଲେ ଲୋକେ ଭରସା କରିବେ କାହାକୁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଠି ଲୋକେ ପ୍ରଶ୍ନ କରୁଛନ୍ତି ଆବାସ ଯୋଜନା ଘର ତିଆରି ପାଇଁ ଜମି ଚିହ୍ନଟ ଆଗରୁ ହୋଇଥିବ, ତାପରେ ଯାଇ ହିତାଧିକାରୀମାନେ ଘର ତିଆରି କରିଥିବେ । କିନ୍ତୁ ଏବେ ଜବରଦଖଲ କହି ପ୍ରଶାସନ ଭାଙ୍ଗୁଛି କେମିତି ? ପୁଣି ଯେଉଁମାନଙ୍କ ଘରଗୁଡିକ ଭାଙ୍ଗି ଦିଆଯାଉଛି ଏହି ଶୀତକାକରରେ ନିଜ ନିଜ ଛୁଆପିଲା ଧରି ଯିବେ କୁଆଡେ ? ପ୍ରଶାସନ ସେହିମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.