
- ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସହିତ ଏଆଇକୁ ଯୋଡ଼ିବା ଉପରେ ବିଚାର ବ୍ୟକ୍ତ କରିବା ଲାଗି ଅଂଶୀଦାରମାନଙ୍କୁ ଦେଲେ ପରାମର୍ଶ
- ଆଧାର ଅନେକ ପ୍ରୟାସର ‘ଆଧାର’ ଏବଂ ଡିପିଆଇର ମୂଳଦୁଆ : କେନ୍ଦ୍ରମନ୍ତ୍ରୀ
- ୟୁଆଇଡିଏଆଇ ପକ୍ଷରୁ ନୂଆଦିଲ୍ଲୀରେ ତୃତୀୟ ଆଧାର ସମ୍ବାଦ ଆୟୋଜିତ : ୭୫୦ରୁ ଅଧିକ ଅଧିକାରୀ ଓ ବିଶେଷଜ୍ଞ ହେଲେ ଏକାଠି
- ସ୍ମାର୍ଟ ପ୍ରଶାସନ ଏବଂ ସୁରକ୍ଷିତ ପରିଚୟ ପାଇଁ ନବୋନ୍ମେଷ, ସମାବେଶ ଏବଂ ଏକୀକରଣ
- ସୁରକ୍ଷିତ ଡିଜିଟାଲ ପ୍ରମାଣୀକରଣ ଓ କ୍ୟୁଆର ଆଧାରିତ ଡାଟା ଶେୟାର କରିବା ଲାଗି ନୂଆ ଆଧାର ଆପ୍ ଉନ୍ମୋଚନ କଲା ୟୁଆଇଡିଏଆଇ
- ବ୍ୟବହାରକାରୀଙ୍କ ଗୋପନୀୟତାକୁ ବଢ଼ାଇବା ସହିତ ଭୌତିକ କପି ଉପରେ ନିର୍ଭରଶୀଳତା ହ୍ରାସ କରିବ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଏକକ ପରିଚୟପତ୍ର ପ୍ରାଧୀକରଣ (ୟୁଆଇଡିଏଆଇ) ପକ୍ଷରୁ ନୂଆଦିଲ୍ଲୀରେ ଏକ ଦିନିକିଆ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ରାଜ୍ୟଗୁଡ଼ିକର ଅଂଶୀଦାର ଏବଂ ଇକୋସିଷ୍ଟମ ସହଭାଗୀମାନେ ଯୋଗଦେଇ ଆଧାର ବ୍ୟବହାର ଦ୍ୱାରା ସେବା ବିତରଣରେ ସୁଧାର ଆଣିବା ଲାଗି ଆଲୋଚନା କରିଥିଲେ ଏବଂ ବିଚାର ବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ରେଳ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଥିଲେ । ପ୍ରାୟ ୭୫୦ ଜଣ ବରିଷ୍ଠ ନୀତି ନିର୍ମାତା, ବିଶେଷଜ୍ଞ, ଟେକ୍ନୋକ୍ରାଟ୍, ସମ୍ପୃକ୍ତ କ୍ଷେତ୍ରର ନେତୃବର୍ଗ ଓ ପେସାଦାରମାନେ ଯୋଗଦେଇ ‘ଆଧାର ସମ୍ବାଦ’ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ କହିଥିଲେ, କୃତ୍ରିମ ବୁଦ୍ଧିମତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ନୂଆ ଶିଳ୍ପ ବିପ୍ଳବ ଆଣିଛି । ସେ କହିଥିଲେ, ଆଧାର ଅନେକ ପ୍ରୟାସର ‘ଆଧାର’ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)ର ମୂଳଦୁଆ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସହିତ ଏଆଇକୁ ଯୋଡ଼ିବା ଉପରେ ବିଚାର ବ୍ୟକ୍ତ କରିବା ଲାଗି ଅଂଶୀଦାରମାନଙ୍କୁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସହଜ ଜୀବନଧାରଣରେ ଆହୁରି ଉନ୍ନତି ଆଣିବା ଉପରେ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି । ସେ ଏହି ସନ୍ଦର୍ଭରେ ଆଧାର ଫେସ୍ ଅଥେଣ୍ଟିକେସନ୍ ବା ମୁଖମଣ୍ଡଳ ପ୍ରମାଣୀକରଣର ଉଦାହରଣ ଦେଇଥିଲେ ଏବଂ ଏହା କିପରି ଏକ ସକ୍ଷମକାରୀ ପାଲଟିଛି ତାହା ବର୍ଣ୍ଣନା କରିଥିଲେ । ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ କହିଥିଲେ, ଆଧାର ଅନ୍ତର୍ଭୁକ୍ତୀକରଣକୁ ତ୍ୱରାନ୍ୱିତ କରୁଛି ଏବଂ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଉଛି । ସେ କହିଥିଲେ ଯେ ଆଧାର ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଯାହା ଗୋପନୀୟତାକୁ ସୁରକ୍ଷିତ ରଖେ ଏବଂ ପରିଚୟକୁ ପ୍ରମାଣିତ କରିଥାଏ । ଏହି ବୈଠକକୁ ସମ୍ବୋଧିତ କରି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ସଚିବ ଡ. ସୌରଭ ଗର୍ଗ ଆଧାର ବ୍ୟବହାରର ସମ୍ପ୍ରସାରଣକୁ ସକ୍ଷମ କରିଥିବାରୁ ୟୁଆଇଡିଏଆଇକୁ ପ୍ରଶଂସା କରିଥିଲେ ଏବଂ ଆଧାର ପ୍ରମାଣୀକରଣର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ । ବିକାଶ ପାଇଁ ତଥ୍ୟ କିପରି ତାହା ଉପରେ ଡ. ଗର୍ଗ ଆଲୋକପାତ କରିଥିଲେ । ୟୁଆଇଡିଏଆଇର ଅଧ୍ୟକ୍ଷ ନୀଳକଣ୍ଠ ମିଶ୍ର ଡିପିଆଇଗୁଡ଼ିକର ସମ୍ପ୍ରସାରଣରେ ଆଧାରର ଭୂମିକା ବିଷୟରେ ଆଲୋଚନା କରିଥିଲେ । ୟୁଆଇଡିଏଆଇ. ଏବଂ ଆଧାର ବହୁତ କିଛି ହାସଲ କରିଛନ୍ତି ଏବଂ ଆହୁରି ଅନେକ କିଛି କରିବାର ଅଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ ଫେସ୍ ଅଥେଣ୍ଟିକେସନ ଅତ୍ୟନ୍ତ ସହାୟକ ହେଉଛି ଏବଂ ଏହା ଅଧିକରୁ ଅଧିକ ସୁଦୃଢ଼ ହେବାରେ ଲାଗିଛି । ୟୁଆଇଡିଏଆଇର ସିଇଓ. ଭୁବନେଶ୍ୱର କୁମାର କହିଥିଲେ ଯେ, ଆଧାର ମୁଖମଣ୍ଡଳ ପ୍ରମାଣୀକରଣ ପରିଦୃଶ୍ୟର ପରିଚୟ ପାଲଟିଛି । ସେ କହିଥିଲେ ଯେ ଟେକ୍ନୋଲୋଜି ଗ୍ରହଣ ହେଉ କିମ୍ବା ସେବା ପ୍ରଦାନ, ଆଧାର ଇକୋସିଷ୍ଟମ୍ ବ୍ୟାପକ ଭାବେ ବୃଦ୍ଧି ପାଇଛି ଏବଂ ୟୁଆଇଡିଏଆଇ. ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି । ସେ ଆଧାରର ଏକ ମାନବୀୟ ଦିଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହା କିପରି ଶହ ଶହ ନିଖୋଜ ଶିଶୁମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଡ଼ି ପାରୁଛି ତାହା ସେ କହିଥିଲେ । ସୂଚନାଯୋଗ୍ୟ ଯେ ଆଧାର ସମ୍ବାଦ ଶୃଙ୍ଖଳାର ଏହା ହେଉଛି ତୃତୀୟ ଅଧ୍ୟାୟ । ଏଥି ପୂର୍ବରୁ ପ୍ରଥମ ଅଧ୍ୟାୟ ବେଙ୍ଗାଲୁରୁରେ ଏବଂ ଦ୍ୱିତୀୟ ଅଧ୍ୟାୟ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ।