ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶିପୁନମ ମିଞ୍ଜ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସମସ୍ତଙ୍କ ସହିତ ୧୯୯୯ ମହାବାତ୍ୟାରେ ଏବଂ ବିଭିନ୍ନ ପ୍ରାକୃତିକ ବିପଦରେ ସହସ୍ର ସଂଖ୍ୟାରେ ମୃତାହତ ହୋଇଥିବା ଜନସାଧାରଣଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଓଏସ୍‌ଡିଏମ୍‌ଏ ପ୍ରୋଜେକ୍ଟ ଅଫିସର ବିଶ୍ୱନାଥ ନାୟକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଜିଲ୍ଲାପାଳ ନରୱଣେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଅତିଥିମାନେ ୧୯୯୯ ମହାବାତ୍ୟା, ଫାଇଲିନ, ହୁଡ୍‌ହୁଡ୍‌ର ଏବଂ ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତିଚାରଣ କରିଥିଲେ ଏବଂ ସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ତା’ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟାକୁ ସଫଳତାର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ । ଏହା ପୂର୍ବରୁ ଏନ୍‌ଏସ୍‌ଏସ୍‌, ରେଡକ୍ରସ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟ ସହାୟକ ଦଳର କର୍ମକର୍ତ୍ତା, ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ଏକ ସଚେତନତା ଶୋଭାଯାତ୍ରାରେ ପୁରୁଣା ଟାଉନ ହଲରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନସଚେତନତା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ ଏବଂ ସଭାରେ ଯୋଗ ଦେଇଥିଲେ । ଜିଲ୍ଲା ଜରୁରୀକାଳୀନ ଶାଖା ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା ଏହି ସଭାର ଆୟୋଜନ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ । ଏହି ସଭାରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଏଡିଏମ୍‌ଓ ଡକ୍ଟର ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ସୋନପୁର ମହାବିଦ୍ୟାଳୟ ରେଡକ୍ରସ ଅଧିକାରୀ ଅଧ୍ୟାପକ ଡ଼. ଉମାକାନ୍ତ ନାଗ, ଜିଲ୍ଲା ରେଡକ୍ରସ ସମିତି ଉପାଧ୍ୟକ୍ଷ ଡ଼. ସତ୍ୟନାରାୟଣ ହୋତା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ଡ୍ରଇଂ, ରଚନା, ତର୍କ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଅଧ୍ୟାପକ ନାଗ ଏବଂ ଡ଼. ହୋତାଙ୍କ ନିର୍ଦ୍ଦେଶନାରେ ରେଡକ୍ରସ/ଏନଏସ୍‌ଏସ୍‌ର ଛାତ୍ରଛାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ତାହା ପ୍ରଦର୍ଶନ କରିଥିଲେ । ଅଗ୍ନିଶମ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଓଏସ୍‌ଡିଏମ୍‌ଏ, ଏଏମ୍‌ଏଫ୍‌ଏସ୍‌ର କର୍ମକର୍ତ୍ତା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣଙ୍କୁ ଉଦ୍ଧାର କରି ହେବ ତାର ନମୁନା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.