ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଖର୍ସେଲ ପଂଚାୟତ ରାଣୀଡ଼ଙ୍ଗରି ଗ୍ରାମ ସ୍ଥିତ ବିଦ୍ୟାଳୟ ନିକଟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମରର ଚାରିପଟେ ପାଚେରୀ ନ ଥିବାରୁ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ୬୩ କେଭି ବିଶିଷ୍ଟ ଉକ୍ତ ଟ୍ରାନ୍ସଫର୍ମରଟି ଭୂମିରୁ କମ୍ ଉଚ୍ଚତାରେ ରହିଛି । ଉକ୍ତ ରାସ୍ତାଟି ଗାଁର ମୁଖ୍ୟରାସ୍ତା ହୋଇଥିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଅନେକ ଲୋକ ସେହି ରାସ୍ତାରେ ଯିବା ଆସିବା କରନ୍ତି । ଏହି ଟ୍ରାନ୍ସଫର୍ମରଟି ସ୍କୁଲକୁ ଲାଗି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉକ୍ତ ଟ୍ରାନ୍ସଫର୍ମରଟି ବିପଦପୂର୍ଣ୍ଣ ହୋଇପଡିଛି । ଗ୍ରାମବାସୀ ଟ୍ରାନ୍ସଫର୍ମରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ କିମ୍ବା ଚାରିପଟେ ପାଚେରୀ ନିର୍ମାଣ ପାଇଁ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଉନଥିବା ଅଭିଯୋଗ କରିଛନ୍ତି । ସେଠାରେ ଯଦି ପାଚେରୀ ନିର୍ମାଣ ନ କରୁଛନ୍ତି ତା’ ହେଲେ ଉକ୍ତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଯଦି ଉକ୍ତ ସମସ୍ୟାର ସମାଧାନ କରାନଯାଏ ତା’ ହେଲେ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନରେଶ କୁମାର ସୁନାନୀ, ପ୍ରମୋଦ ନାଗ, ଠାକୁର ନାଗ, ପ୍ରଫୁଲ୍ଲ ନାଗ, ମୁକେଶ ନିଆଲ, ହିମାଂଶୁ ନାଗ, ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।